ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ଅଂଚଳ ରେ ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ନାବାଳକ ଧାମନଗର ଥାନାରେ ଆତ୍ମସମର୍ପଣ କରିଛି। ଏହା ପରେ ପୋଲିସ ତାକୁ ଅନୁଗୁଳସ୍ଥିତ ଜୁଭେନାଇଲ୍ ହୋମକୁ ପଠାଇଛନ୍ତି। ପ୍ରକାଶ ଥାଉକିଧାମନଗର ଥାନା କାଙ୍କରା ଅଂଚଳର ଜଣେ ନାବାଳିକାକୁ ଧାମନଗର ତାଳପଦା। ଅଂଚଳର ନାବାଳକ ଜୁନ ୧୭ ବିଳମ୍ବିତ ରାତିରେ ଅପହରଣ କରିନେଇଥିଲେ। ଏନେଇ ସଂପୃକ୍ତ ନାବାଳିକାଙ୍କ ବାପା ମାଆ ୧୮ ଜୁନରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଚୁପ୍ ବସି ଯାଇଥିଲା। ବାରମ୍ବାର ଥାନାକୁ ଆସିଥିଲେ ବି ତଦନ୍ତ କରୁଛୁ କହି ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ନେପାଳ ଶାହ ତାଙ୍କୁ ବିଦା କରି ଦେଇଥିଲେ। ପରେ ନାବାଳିକାଙ୍କ ବାପା ମାଆ ଜିଦ୍ଦି କରିବାରୁ ନେପାଳ ତାଙ୍କୁ କିଛି ଟଙ୍କା ଦେବାକୁ ଦାବି କରିଥିଲେ। ଟଙ୍କା ଦେଲେ ଆମେ ଯାଇ ଝିଅକୁ ଧରିବୁ ବୋଲି କହିଥିଲେ। ପୋଲିସ ପାଖରୁ ନିରାଶ ହୋଇ ନାବାଳିକାଙ୍କ ବାପା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ଘଟଣାକୁ ଗୁରୁତ୍ୱ ସହ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହାସହ ଅଗଷ୍ଟ ୧୧ ରେ ପ୍ରତ୍ୟେକ୍ଷ ହାଜର ହେବା ଲାଗି ଭଦ୍ରକ ଏସପି, ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ଧାମନଗର ଥାନାର ଏଏସ୍ଆଇ ନେପାଳ ଶାହଙ୍କୁ ଅଗଷ୍ଟ ୫ ରେ ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ନାବାଳକର ସଂପର୍କୀୟ ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନଙ୍କ ସୂଚନା ଆଧାରରେ ଯଶୀପୁରରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ତେବେ ପୋଲିସ ସେଠାରେ ପହଂଚିଲା ବେଳକୁ ଅଭିଯୁକ୍ତ ଖସି ଯାଇଥିଲା। ନାବାଳିକାଙ୍କୁ ଥାନାକୁ ଆଣିବା ପରେ ଡାକ୍ତରଖାନା ନିଆଯାଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ସ୍ୱଳ୍ପକାଳୀନ ରହଣି କେନ୍ଦ୍ରକୁ ପଠାଯାଇଥିଲା। ତେବେ ତଦନ୍ତରେ ଅବହେଳା ପାଇଁ ଧାମନଗର ଥାନାର ଏଏସ୍ଆଇ ନେପାଳ ଶାହଙ୍କୁ ଭଦ୍ରକ ଏସପି ମନୋଜ ରାଉତ ନିଲମ୍ବନ କରିଥିଲେ।