Odiapua.com

ଅଭାବୀ ସମ୍ବଳରେ ଧାମନଗର ପୋଲିସ: ତଦନ୍ତ ବୋଝ ତଳେ ଚାପି ହେଉଛନ୍ତି ଅଧିକାରୀ, ନିଜେ ଅଭିଯୋଗକାରୀ, ନିଜେ ତଦନ୍ତକାରୀ, ସାମ୍ବାଦିକ ଙ୍କ ସହ ସ୍ୱତନ୍ତ୍ର ଆଲୋଚନା

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ଥାନା ଏବେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସଂଘର୍ଷ କରୁଛି। ଧାମନଗର ବ୍ଲକର ଆନନ୍ଦପୁର ଠାରୁ ଗୋବିନ୍ଦପୁର ପୁର ଏବଂ ଭଣ୍ଡାରିପୋଖରୀ ର କିଛି ଅଂଶ ସମେତ ବିସ୍ତୃତ ଅଂଚଳର ସୁରକ୍ଷା ଦାୟିତ୍ୱ ଏହି ଥାନା ଉପରେ ରହିଛି। ମାତ୍ର ଆବଶ୍ୟକତା ତୁଳନାରେ କର୍ମଚାରୀ ସଂଖ୍ୟା କମ ଥିବାରୁ ଜଣେ ଜଣେ ଅଧିକାରୀ ଏକାଧିକ ମାମଲାର ତଦନ୍ତ ବୋଝରେ ଚାପି ହୋଇ ରହୁଛନ୍ତି। ୧୨ କିଲୋମିଟର ଲମ୍ବ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା, ରାହାଜାନି ଏବଂ ଅନ୍ତରାଜ୍ୟ ଡକାୟତି ପୋଲିସ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଥାନାରେ କାର୍ଯ୍ୟରତ ଅଧିକାରୀମାନେ ଅପରାଧ ନିୟନ୍ତ୍ରଣ କରିବାରେ କଷ୍ଟକର ହେଉଛି। ସାଧାରଣ ମାମଲା ପାଇଁ ୬୦ ଦିନ ଓ ସଂଗୀନ ମାମଲା ପାଇଁ ୯୦ ଦିନର ସମୟସୀମା ମଧ୍ୟରେ ଚାର୍ଜସିଟ ଦେବା ନିୟମ ଥିବାରୁ, କର୍ମଚାରୀ ଅଭାବରୁ ସେମାନେ ଅତ୍ୟଧିକ ଚାପରେ ରହୁଛନ୍ତି। ଫରେନ୍ସିକ ରିପୋର୍ଟ ଓ ସାଇବର ପ୍ରମାଣ ସଂଗ୍ରହରେ ବିଳମ୍ବ ହେଲେ ଏହି ଚାପ ଦ୍ୱିଗୁଣିତ ହୋଇଯାଉଛି।ଥାନାରେ ଜଣେ ଆଇଆଇସିଙ୍କ ସମେତ ୦୪ ଜଣ ସବ୍‌-ଇନସପେକ୍ଟର ପଦବୀ ମଞ୍ଜୁର ହୋଇଥିବା ବେଳେ ମାତ୍ର ୦୩ ଜଣ (୦୨ ପୁରୁଷ ଓ ୦୧ ମହିଳା) ଅଛନ୍ତି। ସେହିପରି ୦୫ ଜଣ ଏଏସ୍‌ଆଇ ପଦବୀରୁ ମାତ୍ର ୦୪ ଜଣ ଅଛନ୍ତି, ଯେଉଁଥିରୁ ଜଣେ ବଦଳି ହୋଇ ଚାଲିଯିବେ। ମଞ୍ଜୁର ଥିବା ୧ ହାବିଲଦାର ପଦବୀ ଖାଲି ପଡ଼ିଛି। ୧୦ ଜଣ କନେଷ୍ଟବଳ ଓ ମାତ୍ର ୦୫ ଜଣ ଗୃହରକ୍ଷୀଙ୍କୁ ନେଇ ୧୨ ହଜାରରୁ ଅଧିକ ସଂଖ୍ୟାଲଘୁ ବସବାସ କରୁଥିବା ଏବଂ ‘ଉର୍ସ’ ଭଳି ଆନ୍ତର୍ଜାତୀୟ ଉତ୍ସବ ପାଳନ ହେଉଥିବା ଅଂଚଳରେ ଶାନ୍ତି ରକ୍ଷା କରିବା ଏକ ଆହ୍ୱାନ। ଥାନାର ଭିତିଭୂମି ଅବସ୍ଥା ଅତି ଦୟନୀୟ। ଆଇଆଇସି ଓ ଏସଡିପିଓଙ୍କ ବ୍ୟତୀତ ଅନ୍ୟ ଅଧିକାରୀଙ୍କ ପାଇଁ କ୍ୱାର୍ଟର ନାହିଁ। ବାରାକ ଅଭାବରୁ ଏପିଆର କର୍ମଚାରୀମାନେ ମହିଳା ଓ ଶିଶୁ ଡେସ୍କ ଗୃହରେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି। ଧାମନଗର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ପଦବୀ ପୂରଣ ସହ ଭିତିଭୂମିର ଉନ୍ନତି କରାଗଲେ ପୋଲିସ ସେବା ଆହୁରି ସୁଦୃଢ଼ ହୋଇପାରନ୍ତା। ଏହି ଅବସର ରେ ଧାମନଗର ଅଂଚଳ ର ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର,ମନୋଜ କୁମାର ଦାଶ, ସଂଜିବ ମହାନ୍ତି,ସରୋଜ ଖୁଂଟିଆ ପ୍ରମୁଖ ଥାନା ଅଧିକାରୀ ଶୁଭ୍ରଜିତ ଦାସ ଙ୍କ ସହ ଆଲୋଚନା କରିଥିଲେ , ସଂଧ୍ୟା ଓ ବିଳମ୍ବିତ ରାତ୍ରୀ ରେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରିବାକୁ ଅନୁରୋଧ କରିଥିଲେ। ଖୁବ ଶୀଘ୍ର ସେ ଦିଗରେ ସଚେତନ ହେବେ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ କହିଥିଲେ।