Odiapua.com

ଅବ୍ୟବସ୍ଥାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଶେଷଜ୍ଞ ନଥାଇ ଚାଲିଛି ରୋଗୀ ଚିକିତ୍ସା ସେବା

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି । ତିହିଡ଼ି ବ୍ଲକର ୩୧ ପଂଚାୟତ ସମେତ ଚାନ୍ଦବାଲି ବ୍ଲକର ମଧ୍ୟ ବହୁ ପଂଚାୟତର ରୋଗୀମାନେ ପ୍ରତିଦିନ ଚିକିତ୍ସା ପାଇଁ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ତିହିଡ଼ି ବଜାରର ସଦର ମହକୁମାରେ ଅବସ୍ଥିତ ଥିବାରୁ ରୋଗୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ସହଜରେ ପହଂଚି ପାରିଥାନ୍ତି । ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ପ୍ରସୂତୀ ବିଶେଷଜ୍ଞଙ୍କୁ ଛାଡ଼ିଦେଲେ ଆଉ କୌଣସି ବିଶେଷଜ୍ଞ ନଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଭଦ୍ରକ ଓ କଟକ ବଡ଼ ଡାକ୍ତରଖାନାକୁ ଯାଇଥାନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗ ଛାତଟି ଦୁର୍ବଳ ହୋଇ ଯାଇଛି । ଯାହାଫଳରେ ଛାତରୁ ପାଣି ପଡ଼ି ରୋଗୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳି ରୋଗୀମାନଙ୍କର ଶଯ୍ୟା ଓଦା ହୋଇ ଯାଉଥିବାରୁ ରୋଗୀମାନେ ଅନ୍ତଃବିଭାଗ କୋଠରୀରେ ରହି ଚିକିତ୍ସା ହେବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ବିଭାଗର ଛାତ ମଧ୍ୟ ଦୁର୍ବଳ ହୋଇ ଯାଇଥିବାରୁ ବର୍ଷା ପାଣି ପଡ଼ି ସମସ୍ୟା ସୃଷ୍ଟି କରୁଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁରୋଗ ବିଶେଷଜ୍ଞ, ମେଡ଼ିଶିନ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ, ଅର୍ଥପେଡିକ ସହକାରୀ ପଦବୀ ଦୀଘଦିନ ହେବ ଖାଲି ପଡ଼ିଥିବା ବେଳେ ଚକ୍ଷୁ ବିଭାଗ ପାଇଁ ମଧ୍ୟ କୌଣସି ନିୟମିତ ଡାକ୍ତର ନାହାନ୍ତି । ଯେଉଁଥିପାଇଁ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ବିଶେଷ ଭାବେ ଶିଶୁରୋଗ ବିଶେଷଜ୍ଞ ଓ ମେଡ଼ିଶିନ ବିଶେଷଜ୍ଞ ନିହାତି ଆବଶ୍ୟକ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଶୂନ୍ୟ ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ରୋଗୀମାନେ ଶିଶୁଟିଏକୁ ନେଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ଉପଯୁକ୍ତ ଚିକିତ୍ସା ପାଇନପାରି ଖର୍ଚ୍ଚାନ୍ତ ହୋଇ ଭଦ୍ରକ ଡାକ୍ତରଖାନାକୁ ଯାଉଛି । ସେହିପରି ସାଧାରଣ ରୋଗ ପାଇଁ ମେଡ଼ିଶିନ ବିଷେଜ୍ଞ ନଥିବାରୁ ସେ ମଧ୍ୟ ଉଚିତ୍ ଚିକିତ୍ସାରୁ ବଂଚିତ ହେଉଛି । ଅପରପକ୍ଷେ ଡାକ୍ତରଖାନାରେ ଜଣେମାତ୍ର ସ୍ତ୍ରୀରୋଗ ବିଶେଷଜ୍ଞ ଥାଇ ମଧ୍ୟ ନଥିଲା ପରି ଲାଗୁଛି । ଅଧିକାଂଶ ସମୟରେ ସେ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । ତେବେ ଦୀର୍ଘଦିନ ହେବ ଆବଶ୍ୟକ ଥିବା ଡାକ୍ତର ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଡାକ୍ତର ପଦବୀ ପୂରଣ କରାନଯିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହିତ ଦୀର୍ଘ ୩ବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ କୋଭିଡ ହଲ ନିର୍ମାଣ ଚାଲିଥିଲେ ମଧ୍ୟ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ତାହାର ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ଯାହାଫଳରେ କୋଭିଡ ହଲଟି କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମସ୍ତ ବିଭାଗର ବିଶେଷଜ୍ଞ ଯୋଗାଇ ଦେବା ସହିତ ଅନ୍ତଃବିଭାଗ ଓ ଯକ୍ଷ୍ମା ବିଭାଗର ଛାତ ମରାମତି କରିବାକୁ ସାଧାରଣରେ ଦାବି କରାଯାଇଛି ।