Odiapua.com

ଅବୈଧ ବାଲି ଉତୋଳନ ରୋକିବା ପାଇଁ ଜନ ଭାଗିଦାରୀତାର ଉପଯୋଗ, ବାଲୁକା ଅଂଚଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲି ଉତୋଳନ ପାଇଁ ସରକାରଙ୍କ ଠାରୁ ଅନୁମୋଦନ ମିଳିନଥିବା ବାଲି ଖାଦାନ ମାନଙ୍କରୁ ଅବୈଧ ଭାବେ ବାଲି ଉତୋଳନ ରୋକିବା ପାଇଁ ବାଲୁକା ଅଂଚଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଖଣି ଓ ଇସ୍ପାତ ବିଭାଗ ଜରିଆରେ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଝୁଟୁଣା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଭଦ୍ରକ ଏସ୍‌.ପି ମାଡ଼କର ସନ୍ଦୀପ ସମ୍ପତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଉପନିର୍ଦ୍ଦେଶକ ଖଣି ଓ ଇସ୍ପାତ ସନ୍ତୋଷ କୁମାର ଦଳାଇ, ଭଣ୍ଡାରିପୋଖରୀ ତହସିଲଦାର ସରୋଜ କାନ୍ତ ନାୟକ, ଖଣି ଅଧିକାରୀ ଅନୀଲ କୁମାର ଦାସ, ଏମ୍‌.ଭି.ଆଇ. ବାମଦେବ ସାହୁ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଅବୈଧ ବାଲି ଉତୋଳନ ବନ୍ଦ କରିବା ଦିଗରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ। ବାଲି ଉତୋଳନ ପାଇଁ ସରକାରଙ୍କ ଠାରୁ ଅନୁମୋଦନ ନ ମିଳିଥିବା ବାଲିଖାଦାନ ମାନଙ୍କରୁ ବାଲି ଉଠାଇବା ନାହିଁ କି କାହାକୁ ଉଠାଇବାକୁ ସୁଯୋଗ ଦେବା ନାହିଁ। ଏଥିପାଇଁ ଗ୍ରାମସ୍ତରୀୟ କମିଟି ଗଠନ କରାଯିବ। ଯେଉଁ କମିଟିରେ ବରିଷ୍ଠ ନାଗରିକ, ଯୁବକ, ସ୍ୱେଚ୍ଛାସେବୀ, ବାଲି କାରବାର ସହିତ ସଂପୃକ୍ତ ନଥିବା ନିର୍ବିବାଦୀୟ ବ୍ୟକ୍ତି ଆଦି ମାନଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯିବ। କିଛିଦିନ ମଧ୍ୟରେ ସଂପୃକ୍ତ ବାଲି ଖାଦାନରୁ ବାଲି ଉତୋଳନ ପାଇଁ ଅନୁମତି ମିଳିପାରେ। ମାତ୍ର ଅନୁମୋଦନ ପ୍ରାପ୍ତିପରେ ବି ଧାର୍ଯ୍ୟସୀମା ମଧ୍ୟରେ ଓ ନିୟମାନୁଯାୟୀ ବାଲି ଉତୋଳନ କରାଯାଉଛି କି ନାହିଁ ତାହା ତଦାରଖ କରିବା ମଧ୍ୟ କମିଟିର ଦାୟିତ୍ୱ ପରିସରଭୁକ୍ତ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କମିଟି ସହିତ ପ୍ରଶାସନ ସ୍ତରରେ ବେଆଇନ୍ ବାଲି ଉତୋଳନ ରୋକିବା ଦିଗରେ ଆଲୋଚନା ଓ ବିଚାର ବିମର୍ଷ କରାଯିବ। ଶାନ୍ତିଶୃଙ୍ଖଳାର ସହିତ ଏହି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ।