Odiapua.com

ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଧାମନଗର, ସାଗର ଭୂୟାଁ ଶିଶୁ ଉଦ୍ୟାନ ଓ ସଲାମପୁର ପାଚେରୀ ଭାଙ୍ଗିଲା

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଗତ ଦୁଇଦିନ ହେବ ମୌସୁମୀ ବର୍ଷାରେ ଏହି ଜିଲାର ଧାମନଗର ଅଂଚଳରେ ଆଜି ଭୋର୍‌ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚାଷଜମି ଏବେ ଯେଉଁଆଡକୁ ଦେଖ ଜଳମୟ ହୋଇଯାଇଛି । ଧାମନଗର ସମେତ ଦୋବଲ, ଧୁଷୁରୀ ଓ ଅସୁରାଳି ଜୋନ୍‌ର ବିଭିନ୍ନ ପଂଚାୟତରେ ଚାଷଜମିରେ ବର୍ଷାଜଳ ଲହଡି ଖେଳୁଛି । ବିଶେଷକରି ରେବ କପାଳି ଓ ଯ ନଦୀରେ ବର୍ଷାଜଳ ଜନିତ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ସବୁଠାରୁ ବଡକଥା ହେଲା ଧାମନଗର ବିଜ୍ଞାପିତ ଅଂଚଳରେ ବେଆଇନ୍ ଭାବେ ଓ ବିନା ଯୋଜନାରେ ବଡ ବଡ କୋଠା ନିର୍ମାଣ ହେଉଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ଦେଖାଦେଇଛି । ଧାମନଗର ଶାମପୁର, ହବିବନଗର, ଦକ୍ଷିଣବାଡ, ତାଳପଦା, କଣ୍ଟାବଣିଆ, ଜୟନଗର ଆଦି ଅଂଚଳରେ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ପ୍ରବଳ ବର୍ଷାରେ ଲୋକେ ଆଜି ତ୍ରାହି ତ୍ରାହି ଡାକିଛନ୍ତି । ତେବେ ଆଜି ସକାଳୁ ୮ଟାରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଧାମନଗରରେ ୧୪୯ ମିଲିମିଟର ବର୍ଷା ହୋଇଥିବା ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଠାରୁ ବିସ୍ମୟର କଥା ଆଜି ଏହି ଦିନକର ବର୍ଷାରେ ଧାମନଗରସ୍ଥିତ ନବନର୍ମିିତ ସାଗର ଭୂୟାଁ ପାର୍କର ଦୁଇ ପାଖ ପାଚେରୀ ଭୁଷୁଡି ପଡିଛି । ୬ ମାସ ପୂର୍ବେ ଏହି କାର୍ଯ୍ୟ ହୋଇଥିବାବେଳେ ଆଜି ଏହି ବର୍ଷାରେ ପାଚେରୀଟି ଭାଙ୍ଗି ପଡିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ କେଉଁ କାରଣରୁ ଏହି ପାଚେରୀ ଭୁଷୁଡିଲା, ତାହାର ତଦନ୍ତ ସହ ବର୍ଷା ଛାଡିବା ପରେ ତାହା ମରାମତି କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ଅନୁରୂପ ବୟାଙ୍ଗଡିହି ପଂଚାୟତର ୧ ନଂ ୱାର୍ଡର ସଲାମପୁର ଗ୍ରାମନିବାସୀ ଦୋଳଗୋବିନ୍ଦ ସାହୁଙ୍କ ଘର ଠାରୁ ଦୟାନିଧି ପରିଡାଙ୍କ ଘର ପର୍ଯ୍ୟନ୍ତ ବିଧାୟକ ପାଣ୍ଠି ୨ ଲକ୍ଷ ୬୦ ହଜାର ଟଙ୍କାରେ ନିର୍ମିତ ରାସ୍ତା ଓ ପ୍ରୋଟେକସନ୍ ୱାଲ୍ ଆଜିର ବର୍ଷାରେ ଭୁଷୁଡି ଯାଇଛି । ଏଣୁ ଏହି ଘଟଣା ୫-ଟି ସଚିବଙ୍କ ଭଦ୍ରକ ଗସ୍ତକୁ ପରିହାସ କରିଛି ।