Odiapua.com

ଅବହେଳିତ ଭାରତର ପ୍ରଥମ ଗାନ୍ଧୀ ମନ୍ଦିର, ୨୦୦୯ ରେ ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର “ଗାନ୍ଧୀ ମଣ୍ଡପ” ନିର୍ମାଣ ସରିବ କେବେ?

ସମ୍ବଲପୁର, ୦୨/୧୦ (ଓଡ଼ିଆ ପୁଅ/ସରୋଜ ସାହୁ) : ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତକୁ ସ୍ୱାଧୀନତା ଆଣିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କ ଆଜି ୧୫୨ତମ ଜନ୍ମ ଜୟନ୍ତୀ। ପୁର ପଲ୍ଲୀରୁ ଆରମ୍ଭ କରି ଦେଶ ବିଦେଶରେ ଆଜି ଏହି ମହାନ୍ ଜନନାୟକଙ୍କ ସୃତି କୁ ଉଦ୍ଜୀବିତ କରିବା ପାଇଁ ଅନେକ ସରକାରୀ ବେସରକାରୀ ସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆମ ରାଜ୍ୟ ଓଡିଶାର ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର ୩୯ ଅନ୍ତର୍ଗତ ଭତରାରେ ରହିଛି ଏହି ଅହିଂସାର ପୂଜାରୀଙ୍କ ପାଇଁ ନିର୍ମିତ ଭାରତର ପ୍ରଥମ ଗାନ୍ଧୀ ମନ୍ଦିର। ଏହି ମନ୍ଦିରର ଉଦ୍ୟୋକ୍ତା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଉଦମ୍ୟରେ ପବିତ୍ର ରାମ ନବମୀ ତିଥି ୨୩ ତାରିଖ ମାର୍ଚ୍ଚ ମାସ ୧୯୭୨ ମସିହାରେ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ବ କମିଶନର ରବୀନ୍ଦ୍ର ନାଥ ମହାନ୍ତି ଏହି ଗାନ୍ଧୀ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣର ଠିକ୍ ୨ ବର୍ଷ ପରେ ଅର୍ଥାତ ୧୧ ତାରିଖ ଏପ୍ରିଲ ମାସ ୧୯୭୪ ମସିହାରେ ତତ୍କାଳୀନ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ କରକମଳରେ ଆମ ଦେଶ ଭାରତର ପ୍ରଥମ ଏହି ଗାନ୍ଧୀ ମନ୍ଦିର ଉଦଘାଟନ କରାଗଲା। ତେବେ ଗାନ୍ଧୀ ମନ୍ଦିର ଉଦଘାଟନ ହେବାର ଇତି ମଧ୍ୟରେ ୪୮ ବର୍ଷ ବିତିଯାଇ ଥିଲେ ସୁଦ୍ଧା ନା ହୋଇଛି ମନ୍ଦିରର ବିକାଶ ନା ହେଉଛି ଗାନ୍ଧୀଙ୍କ ଚିନ୍ତାଧାରାର ପରିପ୍ରକାଶ। କେବଳ ଜାନୁଆରୀ ୨୬, ଅଗଷ୍ଟ ୧୫, ଅକ୍ଟୋବର ୨ ଓ ଜାନୁଆରୀ ୩୦ ତାରିଖରେ ହିଁ କେବଳ ସରକାରଙ୍କୁ ଏଠାରେ ମନେ ପଡନ୍ତି ବାପୁଜୀ। ମନ୍ଦିର ଭିତରେ ଗାନ୍ଧୀଜିଙ୍କର ୩.୫ଫୁଟ ଉଚ୍ଚତାର ମୂର୍ତ୍ତୀ ସହିତ ଜଗନ୍ନାଥ ପୂଜା ପାଉଛନ୍ତି। ଚତୁର୍ପାର୍ଶ୍ୱରେ ବରପୁତ୍ରମାନଙ୍କ ଫଟୋଚିତ୍ର ମଧ୍ୟ ରହିଛି। ମନ୍ଦିର ସମ୍ମୁଖରେ ଅଶୋକ ସ୍ତମ୍ବ ସହିତ ମନ୍ଦିର ଶିଖରେ ତ୍ରିରଙ୍ଗା ପତାକା ଉଡୁଛି। ମନ୍ଦିର ପରିସରରେ ଗାନ୍ଧୀଜିଙ୍କ ଜୀବନର ବିଭିନ୍ନ ସ୍ମରଣୀୟ ଘଟଣାବଳୀ ସହ, ତିନି ମାଙ୍କଡ଼ର ପ୍ରତିଛବି ରହିଛି। ପ୍ରତିଦିନ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ସକାଳେ ଓ ସନ୍ଧ୍ୟାରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ଧୂପ, ଦୀପ ଓ ଫୁଲ ଦେଇ ବିଭିନ୍ନ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲାଗି ପୂଜା କରାଯାଏ। ପ୍ରତିଦିନ ସକାଳେ ରାମଧୂନ ଓ ସନ୍ଧ୍ୟାରେ ରାମାୟଣ, ଭାଗବତ ଆଦି ଏଠାରେ ପଢାଯାଏ। ୬୦ ଦଶକରେ ରହିଥିବା ଛୁଆଁ-ଅଛୁଆଁ ଭେଦଭାବକୁ ଦୂର କରିବା ପାଇଁ ତତ୍କାଳୀନ ମଠପାଲି ପଂଚାୟତ ଭତରା ଗାଁର ବୁଦ୍ଧିଜୀବିମାନଙ୍କ ଦ୍ୱାରା ଗାଁରେ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ନେଇଥିବା ଐତିହାସିକ ସିଦ୍ଧାନ୍ତ ସବୁଦିନ ଚିର ସ୍ୱରଣୀୟ ହୋଇରହିବ ନିଶ୍ଚିତ। ଅନ୍ୟପକ୍ଷରେ କିନ୍ତୁ, ସରକାରୀ ସ୍ତରରେ ଏହି ସବୁ କାର୍ଯ୍ୟକ୍ରମ ପାଇଁ ନା ଦିଆଯାଉଛି ପ୍ରୋତ୍ସାହନ ନା ରହିଛି ପ୍ରଶାସନିକ ଆନ୍ତରିକତା। ସମଗ୍ର ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ଏହି ମନ୍ଦିରରେ ସାଧାରଣ ଚୂନ ଟିକେ ମଧ୍ୟ ପ୍ରଶାସନ ଲଗେଇ ନାହିଁ। ସଫା ସୁତାରା କଥା ପଚାରେ କିଏ। ସ୍ଵେଛାସେବୀ ମାନେ ଗଣ ସଫେଇ କରି ମନ୍ଦିରର ଚତୁର୍ପାଶ୍ୱ ସଫେଇ କରିଛନ୍ତି।

ତେବେ ମନ୍ଦିରକୁ ଲାଗି ତତ୍କାଳୀନ ମହାମହିମ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା ୨୫ ଅକ୍ଟାବର ୨୦୦୯ ମସିହାରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା “ଗାନ୍ଧୀ ମଣ୍ଡପ” ନିର୍ମାଣ କାର୍ଯ୍ୟ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ଭିତ୍ତିପ୍ରସ୍ତର ସ୍ଥାପନର ୧୨ ବର୍ଷ ପରେ କାନ୍ଥ ଗୁଡିକ ୨ ରୁ ୩ ଫୁଟ ଉଠି ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହାରି ଭିତରେ ସରକାର ଗତ ୨୦୧୭ -୧୮ ମସିହାରେ ଉର୍ନତି ଯୋଜନାରେ ୩ ଲକ୍ଷ ଟଙ୍କା “ଗାନ୍ଧୀ ମନ୍ଦିର ଭତରା କମ୍ୟୁନିଟି ସେଣ୍ଟର ” ନାମରେ ମାନେଶ୍ଵର ପଂଚାୟତ ସମିତି ମାଧ୍ୟାମରେ ଏଠାରେ ଖର୍ଚ୍ଚ କରିସାରିଛନ୍ତି। ଅହିଂସାର ପୂଜାରୀଙ୍କ ପାଇଁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ହୋଇଥିବା “ଗାନ୍ଧୀ ମଣ୍ଡପ” ନିର୍ମାଣ କାର୍ଯ୍ୟ ଅବଧିକୁ ସରକାର ବୋଧହୁଏ ଐତିହାସିକ କରିବାକୁ ଯାଉଛନ୍ତି। ଏଭଳି ଭାବରେ ଯଦି କାମ ହୁଏ ତେବେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନର ସ୍ଵର୍ଣ ଜୟନ୍ତୀ ବର୍ଷ ପରେ ଏହି ନିର୍ମାଣ କାର୍ଯ୍ୟ ସରିବ ବୋଲି ଅନୁମାନ କରାଯାଇପାରେ। ଐତିହ୍ୟ ବହନ କରୁଥିବା ଭାରତର ପ୍ରଥମ ଏହି ଗାନ୍ଧୀ ମନ୍ଦିରକୁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଅଗ୍ରାଧିକାର ଦେଇ ସମସ୍ତ କାର୍ଯ୍ୟକ୍ରମକୁ ଅନୁଦାନ ଦେବା ସହିତ ପ୍ରଶାସନ “ଗାନ୍ଧୀ ମଣ୍ଡପ” ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ଜନସାଧାରଣରେ ଦାବି ହେଉଛି।