Odiapua.com

ଅବହେଳିତ ବାଙ୍କତିରା ହାଇସ୍କୁଲ; ଟିଣଛପର ଘରେ ଚାଲିଛି ଶିକ୍ଷାଦାନ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ବାଙ୍କତିରା ହାଇସ୍କୁଲ ୧୯୮୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ ଶିକ୍ଷାର ଅଭିବୃଦ୍ଧି ପାଇଁ ଏହି ସ୍କୁଲ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାବତ ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏହି ବିଦ୍ୟାଳୟଟିରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବାଙ୍କତିରା ସମେତ ନିକଟସ୍ଥ ଭଗାରାମ, କୁଆଁର୍ଦା, ପଦି, ଆପ୍ତିରା ଗ୍ରାମରୁ ଆସି ପାଠ ପଢନ୍ତି । ସେମାନଙ୍କୁ ପାଠ ପଢାଇବା ନିମନ୍ତେ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ପାଇଛନ୍ତି । ତେବେ ପରିତାପର ବିଷୟ ଗୋଟିଏ ପକ୍କା ଗୃହର ୩ ଗୋଟି କକ୍ଷ ରହିଛି । ଗୋଟିଏ କକ୍ଷରେ ଅଫିସ ଚାଲିଥିବା ବେଳେ ଅନ୍ୟଟି ଗୋଡ଼ାଉନ ଓ ଗୋଟିଏ କକ୍ଷରେ ଶ୍ରେଣୀ ଗୃହ ଚାଲିଛି । ଅନ୍ୟ ୨ ଗୋଟି ଶ୍ରେଣୀର ପିଲା ନିକଟସ୍ଥ ଆଜବେଷ୍ଟସ ଓ ଟିଣଛପର ଘରେ ବିପଦପୂର୍ଣ୍ଣ ଭାବେ ପାଠ ପଢୁଛନ୍ତି । ବର୍ଷା ପବନରେ ଭଙ୍ଗା ଛାତରୁ ପାଣି ବୋହି ପିଲାମାନେ ପାଠ ପଢିବାରେ ଅସୁବିଧା ଭୋଗ କରୁଛନ୍ତି । ଅପରପକ୍ଷେ ଏହି ବିଦ୍ୟାଳୟରେ ଗୃହ ଅଭାବରୁ ପାଠାଗାର, ବିଜ୍ଞାନାଗାର ର ସ୍ଥାପିତ ହୋଇ ପାରି ନାହିଁ । ଖେଳ ପଡ଼ିଆର ଉନ୍ନତି କରଣ କରାଯାଇ ନାହିଁ । ବାଉଣ୍ଡରୀ ୱାଲ ନଥିବାରୁ ଏହି ବିଦ୍ୟାଳୟ ବୁଲା ଗୋରୁ ଗାଇ ଓ ସରିସୃପଙ୍କ ଆଶ୍ରୟସ୍ଥଳ ପାଲଟିଛି । ଏହି ବିଦ୍ୟାଳୟଟି କାବରାଙ୍ଗ- ଆଡ଼ିଆ ରାସ୍ତା ପାଶ୍ୱର୍ରେ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ରାସ୍ତାରେ ଚଳପ୍ରଚଳ ସମୟରେ ଯାନବାହନ ଜନିତ ବିପଦରେ ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତିି । ଇଚ୍ଛାଶକ୍ତିର ଅଭାବରୁ ଏହି ବିଦ୍ୟାଳୟକୁ ଅନୁଦାନ ଆସି କାମ ନହୋଇ ଫେରି ଯାଇଥିବା ଘଟଣା ସାମନାକୁ ଆସିଛି । ତେବେ ସମାନ ଧରଣର ବିଦ୍ୟାଳୟକୁ ସରକାରଙ୍କ ତରଫରୁ ପ୍ରଚୁର ପରିମାଣରେ ଅନୁଦାନ ଯୋଗାଇ ଦିଆ ଯାଉଥିବା ବେଳେ ଏହି ବିଦ୍ୟାଳୟକୁ ବିଭାଗ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିବାର ଅଭିଭାବକ ମହଲରେ ଆଲୋଚନା ହେଉଛି । ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ତଥା ଉଚ୍ଚମାନର ଶିକ୍ଷାଦାନ ହେଉଥିବା ବେଳେ ଭିତ୍ତିଭୂମି ଅଭାବରୁ ବିଦ୍ୟାଳୟର ଉନ୍ନତି ହୋଇପାରୁ ନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବୀ କରିଛନ୍ତି ।