Odiapua.com

ଅବହେଳିତ କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ, ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି ଛାତ୍ରୀ

କୋଦଳା :୦୭/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସରକାର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଗୁଡିକୁ ସହାୟତା ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ହୀନସ୍ତା ଭୋଗୁଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜମି ରହିଛି ପାଣି। ଆଣ୍ଠୁଏ ପାଣିରେ ଶ୍ରେଣୀ ଗୃହକୁ ଯାଉଛନ୍ତି ଛାତ୍ରୀ।ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ବାଳିକା ଉଚ୍ଚ ବିଦ୍ୟାଳୟକୁ ନା କୌଣସି ରାଜନେତା ନା କୌଣସି ପ୍ରଶାସନ, କାହାର ନଜର ନାହିଁ। ଯାହାଫଳରେ କି ଦୁର୍ବଳ କୋଠାରେ ପିଲାମାନଙ୍କ ସବଳ ଚିନ୍ତା କରାଯାଉଛି। ବାରମ୍ବାର ଏନେଇ ପ୍ରଶାସନକୁ ଅବଗତି ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ପିଲାକଂ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଠେଲି ହୋଇ ଯାଉଛି।ବେସରକାରୀ ବିଦ୍ୟାଳୟ ଗୁଡିକ ବିଭିନ୍ନ ଗାଇଡଲାଇନ ବାହାରେ ଥିବା ଦର୍ଶାଇ ସରକାର ବନ୍ଦ କରୁଛନ୍ତି, କିନ୍ତୁ ସରକାରୀ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଏଥିପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବେଗୁନିଆପଡ଼ା ଭଳି ଏକ ପ୍ରମୁଖ ବଜାର ଓ ଜନବସତି ଅଞ୍ଚଳରେ ୧୯୯୬ ମସିହାରେ ଗଢି ଉଠିଥିବା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଯୋଗୁଁ ଦିନକୁ ଦିନ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ କମିବାରେ ଲାଗିଛି। ସ୍ଥାନୀୟ ରାଜନେତା ଓ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ବିଦ୍ୟାଳୟର ଉନ୍ନତି ହେବା ବଦଳରେ ଅବନତି ହେଉଥିବା ଅଭିଯୋଗ ହୋଇଛି। ସରକାରୀ ବିଦ୍ୟାଳୟରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ପାଇଁ ପାଣ୍ଠି ବରାଦ ହେଉଛି କିନ୍ତୁ ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ଗୁଡିକକୁ ସରକାରୀ ଅନୁଦାନ ଆସୁନି। ଯାହାଫଳରେ କି କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଏବେ ସରକାରଙ୍କ ସାବତ ପୁଅ ସଦୃଶ ପାଲଟିଛି। ଏପରିକି ସରକାର ବିଦ୍ୟାଳୟ ଗୁଡିକରେ ଶୌଚାଳୟ ନିର୍ମାଣ ଓ ବ୍ଯବହାର ପାଇଁ ପ୍ରାଥମିକତା ଓ ବାଧ୍ୟତାମୂଳକ ବୋଲି କହିଛନ୍ତି କିନ୍ତୁ ଏଠାରେ ବହୁ ଅଭିଯୋଗ ପରେ ଶୌଚାଳୟ ନିର୍ମାଣ କାମ ଚାଲିଛି ସତ, କିନ୍ତୁ ଏଯାଏଁ ସରିନି।ବହୁ ପୁରୁଣା ଟିଣ ଛପର ଶ୍ରେଣୀ ଗୃହରେ ପାଣି ଗଳୁଥିବା ସତ୍ତ୍ବେ କଷ୍ଟକର ଅବସ୍ଥାରେ ଛାତ୍ରୀ ପାଠ ପଢୁଛନ୍ତି।ଉତ୍ତମ ଶ୍ରେଣୀ ଗୃହ, ଖେଳ ପଡିଆ, ଶୌଚାଳୟ ଭଳି ଅତ୍ଯାବଶ୍ଯକୀୟ ସୁବିଧା ସୁଯୋଗ ସରକାର ତୁରନ୍ତ ଯୋଗାଇ ଦିଅନ୍ତୁ ବୋଲି ଦାବି ହେଉଥିବା ବେଳେ ସ୍ଥାନୀୟ ବିଧାୟିକା ଏନେଇ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।