Odiapua.com

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପକ୍ଷରୁ ଭ୍ୟାଲିଡେସନ ବିଲ୍ ପ୍ରତ୍ୟାହାର ପାଇଁ ପ୍ରଧାନନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଉଦୟ ନାଥ ମହାନ୍ତି, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକଙ୍କ ନେତୃତ୍ୱରେ ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ରଙ୍କ ସଂଯୋଜନା ଓ ପରିଚାଳନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୨୦୨୫ ମସିହାରେ ଭ୍ୟାଲିଡ଼େସନ ବିଲ୍ ପ୍ରତ୍ୟାହାର ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରା ଯାଇଅଛି। ଏହି ଭ୍ୟାଲିଡ଼େସନ ବିଲ୍ ଯୋଗୁଁ କେନ୍ଦ୍ର ସରକାର ଓ ଭାରତବର୍ଷର ସମସ୍ତ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟକରି ସେବା ନିବୃତ ସମସ୍ତ କର୍ମଚାରୀ ଅଷ୍ଟମ ବେତନ କମିଶନରେ ପୂର୍ବବେତନ କମିଶନ ଭଳି ପେନ୍‌ସନ ଅଭିବୃଦ୍ଧିରୁ ବଂଚିତ ହେବେ। ଏହି ଆଇନ ବଳରେ ୨୦୨୬ ମସିହା ପୂର୍ବରୁ ଅବସର ନେଇଥିବା ଭାରତର ସମସ୍ତ ବର୍ଗ ଓ ପ୍ରକାରର କର୍ମଚାରୀ ପେନ୍‌ସନ ଅଭିବୃଦ୍ଧି ଅର୍ନ୍ତଭୁକ୍ତ ହୋଇ ପାରିବେ ନାହିଁ। ଦରଦାମ ବୃଦ୍ଧି, ଜୀବନ ଜୀବିକା ନିର୍ବାହ ପାଇଁ ଲିଭିଙ୍ଗ୍ କଷ୍ଟ ବୃଦ୍ଧି ଦୃଷ୍ଟେ ବେତନ କମିଶନ ବେତନ ବୃଦ୍ଧିପାଇଁ ଫିଟ୍‌ମେଂଟ ବ୍ୟବସ୍ଥା କରାଇ ସରକାରଙ୍କୁ ପ୍ରଦାନ କରି ଥାଆନ୍ତି। ମାତ୍ର ଉପରୋକ୍ତ ଭ୍ୟାଲିଡେସନ ଆକ୍ଟ କେନ୍ଦ୍ର ସରକାର ପାରିତ କରାଇଥିବାରୁ ଅଷ୍ଟମ ବେତନ କମିଶନ୍ ୨୦୨୬ ମସିହା ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀଙ୍କର ପେନ୍‌ସନ୍ ଅଭିବୃଦ୍ଧି ତାଙ୍କର ଫିଟ୍‌ମେଂଟରେ ଅର୍ନ୍ତଭୁକ୍ତ କରାଇବେ ନାହିଁ। ଯାହାଫଳରେ ଦୀର୍ଘ ବର୍ଷଧରି ଭାରତବର୍ଷରେ ସେବା ଯୋଗାଇ ଅବସରପ୍ରାପ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ନ୍ୟାଯ୍ୟ ଦାବୀ ମାନ୍ୟବର ସୁପ୍ରିମ୍ କୋଟଙ୍କ ପୂର୍ବ ରାୟକୁ ବିଚାରକୁ ନ ନେଇ ଅନ୍ତରାୟ ସୃଷ୍ଟି କରିଛି। ସର୍ବଭାରତୀୟ ଷ୍ଟେଟ୍ ପେନ୍‌ସନରସ୍ ଫେଡ଼େରସନ ଓ ରାଜ୍ୟ ପେନ୍‌ସନ୍‌ରସ୍ ଫେଡ଼େରସନ୍‌ର ସର୍ବ ସମ୍ମତି ନିଷ୍ପତି କ୍ରମେ ଭାରତର ସମସ୍ତ ରାଜ୍ୟର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ପ୍ରେରିତ ସ୍ମାରକ ପତ୍ରରେ ଏକବର୍ଷ ପୂର୍ବେ ୨୦୨୫ ମସିହା ଭ୍ୟାଲିଡ଼େସନ୍ ଆକ୍ଟ ପ୍ରତ୍ୟାହାର ସହ ୨୦୨୬ ମସିହା ପୂର୍ବରୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ୍ ଅଭିବୃଦ୍ଧି ପାଇଁ ଅଷ୍ଟମ ବେତନ କମିଶନଙ୍କୁ ନିର୍ଦ୍ଦେଶ ପ୍ରଦାନ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରା ଯାଇଅଛି। କେନ୍ଦ୍ର ଓ ରାଜ୍ୟମାନେ ବହୁ ଜନ କଲ୍ୟାଣର ଯୋଜନା ମାଧ୍ୟମରେ ଆର୍ôଥକ ଅନୁଦାନ ପ୍ରଦାନ ସ୍ୱାଗତ ଯୋଗ୍ୟ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କର ନ୍ୟାଯ୍ୟ ଦାବୀକୁ ମଧ୍ୟ ଜନ କଲ୍ୟାଣ ଯୋଜନାରେ ଏକ ଅଂଶ ବିଶେଷ ରୂପେ ଅନ୍ତର୍ଗତ କରାଇବା ପାଇଁ ସ୍ମାରକ ପତ୍ର ମାଧ୍ୟମରେ ଦାବୀ କରାଯାଇଅଛି। କାର୍ଯ୍ୟକ୍ରମରେ ମଦନ ମୋହନ ନାୟକ, ରମାକାନ୍ତ ନାୟକ, ରମେଶ ଚନ୍ଦ୍ର ଦାସ, ଆଦିତ୍ୟ କୁମାର ନାୟକ, ଅରୁଣ ମିତ୍ର, ବାଳକୃଷ୍ଣ ସେନାପତି, ପ୍ରଦୀପ୍ତ କୁମାର ଦାସ, ଶମ୍ଭୁନାଥ ପାଣିଗ୍ରାହୀ, ଇଂ ସୁରେନ୍ଦ୍ର ପ୍ରସାଦ ଦାସ, ଦୟାନିଧି ରାଉଳ, ପୁରୁଷୋତମ ନନ୍ଦୀ, ବାଇଧର ମହାପାତ୍ର, ବାବୁଲା ରାଉତ, ଅଶୋକ ମହାପାତ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।