Odiapua.com

ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର : ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚୀତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ । ସଂପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯିବା ପରେ ଆସିଆନା ମୁକ୍ତ ଆଶ୍ରୟସ୍ଥଳୀରେ ରଖାଯାଇଛି । ତେବେ ଜଣେ ବରିଷ୍ଠ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ସଂପୃକ୍ତ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ଏହି ଘଟଣାକୁ ଚାପି ଦେବାକୁ ପୁଲିସସ୍ତରରେ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏକ ବିଶ୍ୱସ୍ତସୂତ୍ରରୁ ଖବର ମିଳିବା ପରେ ଆମ ପ୍ରତିନିଧି ଚାଇଲ୍ଡଲାଇନର ସଂଯୋଜିକାଙ୍କ ସହ ଯୋଗଯୋଗ କରିବା ସହ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇବାକୁ ସକ୍ଷମ ହୋଇଛନ୍ତି । ଚାଇଲ୍ଡଲାଇନର ସଂଯୋଜିକାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ସଂପୃକ୍ତ ପୁଲିସ ଅଧିକାରୀ ଜଣକ ହେଲେ ଯଶବନ୍ତ ନାରାୟଣ ମହାପାତ୍ର । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ସେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ଛତାବର ନିକଟରେ ତାଙ୍କର ଘର । ଶ୍ରୀ ମହାପାତ୍ରଙ୍କ ଭାଇ ଅର୍ଜୁନ ଇଟାଭାଟି ମାଲିକ । ଏହି ଇଟାଭାଟିରେ କେନ୍ଦୁଝର ଜିଲ୍ଲା ବନବାଟିପୁର ଗ୍ରାମର ଲକ୍ଷ୍ମଣ ଟୁଡୁ ଓ ତାଙ୍କ ପତ୍ନୀ ସୁକାନ୍ତୀ କାମ କରି ଆସୁଛନ୍ତି । ତେବେ ଗତ ୩ବର୍ଷ ପୂର୍ବେ ଅବସରପ୍ରାପ୍ତ ଏଏସପି ଶ୍ରୀ ମହାପାତ୍ର ଲକ୍ଷ୍ମଣଙ୍କ ୮ବର୍ଷର ଝିଅକୁ ନିଜ ଘରେ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡଲାଇନ ପକ୍ଷରୁ ସଂପୃକ୍ତ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରି ଉକ୍ତ ନାବାଳିକାକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା । ସେହି ଅନୁଯାୟୀ ଚାଇଲ୍ଡଲାଇନର ସଦସ୍ୟ ରମାକାନ୍ତ ଜେନା, ଏମ ସୁଧାଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମ ନିରୀକ୍ଷକ, ଜଣେ ଶିଶୁ ମଙ୍ଗଳ କମିଟି ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜଣେ ସଦସ୍ୟ ପୁଲିସ ସହିତ ଶ୍ରୀ ମହାପାତ୍ରଙ୍କ ଘରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକଙ୍କ ଆଗରେ ହାଜର କରାଯିବା ପରେ ଡ଼. ବାରିକ ନାବାଳିକା ସହିତ ପ୍ରାରମ୍ଭିକ କାଉନସେଲିଂ କରି ଆସିଆନା ମୁକ୍ତ ଆଶ୍ରୟସ୍ତଳକୁ ପଠାଇ ଦେଇଥିଲେ । ଏଥି ସହ ତା’ ବାପା ଓ ମା’ଙ୍କୁ ଆସିବାକୁ ଖବର ଦିଆଯାଇଥିଲା । ସେମାନେ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ଼. ବାରିକ କହିଛନ୍ତି ।

ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଭାବେ ଶିଶୁ ଶ୍ରମିକ ସମ୍ପର୍କୀତ ଆଇନ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର କିପରି ଉଚିତ ମନେ କଲେ ତାହା ଏବେ ପ୍ରଶ୍ନବାଚୀ । ଚାକିରି ଜୀବନ ମଧ୍ୟରେ ‘ସ୍ମାଇଲ’, ‘ପରୀ’ ପରି ବିଭିନ୍ନ ଶିଶୁ ମଙ୍ଗଳ, ପୁନରୁଦ୍ଧାରଭିତ୍ତିକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ରହି ମଧ୍ୟ ଜଣେ ନାବାଳିକାକୁ ଶିଶୁ ଶ୍ରମିକ ଭାବେ ନିୟୋଜିତ କରିବା ସ୍ପୃହଣୀୟ ନୁହେଁ ବୋଲି ସଂପୃକ୍ତ ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନାବାଳିକାର ବୟସ ଏବେ ୮ବର୍ଷ । ଚାଇଲ୍ଡଲାଇନର ସଂଯୋଜିକାଙ୍କ ତଥ୍ୟ ଅନୁଯାୟୀ ୩ବର୍ଷ ପୂର୍ବରୁ ଅର୍ଥାତ୍ ମାତ୍ର ୫ବର୍ଷ ବୟସରୁ ଏହି ବରିଷ୍ଠ ଅଧିକାରୀ ଜଣକ କିପରି ଜଣେ ନାବାଳିକାକୁ ଘରୋଇ କାର୍ଯ୍ୟରେ ନିୟୋଜିତ କଲେ ତାହା ଆଶ୍ଚର୍ଯ୍ୟଜନକ । ତେବେ ନିଜର ଏହି ବେଆଇନ କର୍ମକୁ ଲୁଚାଇବାକୁ କେତେକ ମହଲରେ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ବାରିକ କ୍ଷୋଭ ପ୍ରକାଶ କରିବା ସହ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ସେହିପରି ଜିଲ୍ଲା ଶ୍ରମ ଉପ ନିର୍ଦ୍ଦେଶକ କୁବେର ବେହେରା ଘଟଣାର ବିଧିବଦ୍ଧ ତଦନ୍ତ ହେବ । ଶିଶୁ ମଙ୍ଗଳ କମିଟି, ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡଲାଇନର ରିପୋର୍ଟ ଭିତ୍ତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।