Odiapua.com

ଅବକାରୀ ବିଭାଗ ଜବତ କରିଥିବା ଗାଡିରେ ଚୋରା କୋଇଲା ଚାଲାଣ, ଜିପିଏସ୍ ଦ୍ୱାରା ଠାବ କରି ପୁଲିସ୍‌କୁ ଧରାଇଲେ ଗାଡି ମାଲିକ

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ ଧଳା ଜହର ରୂପୀ ବ୍ରାଉନସୁଗାର, ନକଲି ମଦ ଓ କଳାହୀରା (କୋଇଲା) ର ଚୋରା କାରବାର ଚରମ ସୀମାରେ ପହଂଚିଛି। ଏହାକୁ ରୋକାଯିବା କ୍ଷେତ୍ରରେ ଉଭୟ ଅବକାରୀ ଓ ପୁଲିସ୍ ବିଭାଗ ପରସ୍ପର ନିଜ ଉପରକୁ କର୍ମଚାରୀଙ୍କ ଅଭାବ ଦର୍ଶାଇ କାଦୁଅ ଫିଙ୍ଗୁଥିବାବେଳେ ଚୋରା ମାଫିଆମାନେ ତାହାର ସୁଯୋଗ ନେଇଚାଲିଛନ୍ତି। ଏ ଦିଗରେ ଉଭୟ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ସହ ଚୋରା ମାଫିଆଙ୍କ ମଧୁଚନ୍ଦ୍ରିକାକୁ ନେଇ ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ଜ୍ଞାତ ଥିଲେ ମଧ୍ୟ ମୁହଁରେ ଅଙ୍ଗୁଳି ଦେଇ ଚୁପ୍ ବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ନିକଟରେ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା ଏକ ମଦ ବୋଝେଇ ଗାଡି ବିଭାଗର ହେପାଜତରେ ଥିବାବେଳେ ତାହା ସମସ୍ତଙ୍କୁ ଚକିତ କରି ଚୋରା କୋଇଲା ଚାଲାଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାରେ ଗାଡିର ମାଲିକ ଜିପିଏସ୍ ଦ୍ୱାରା ଲୋକେସନ ଟ୍ରେସ୍ କରି ପୁଲିସ୍ ସହାୟତାରେ ଧରାଇବା ଅବକାରୀ ବିଭାଗର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଗତ ନଭେମ୍ବର ମାସ ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ଏକ ମୋବାଇଲ ସ୍କ୍ୱାର୍ଡ ଚୋରା ମଦ ବୋଝେଇ ପିକଅପ ଗାଡ଼ିଟିକୁ ଜବତ୍ କରିଥିଲା । ଏହି ଗାଡ଼ିର ଡ୍ରାଇଭର ଓ ମାଲିକ କୋର୍ଟ ରୁ ବେଲ ହୋଇଥିଲେ । ମାତ୍ର ଗାଡ଼ିଟି ବେଲ ନହେବାରୁ ଅବକାରୀ ବିଭାଗ ହେପାଜତରେ ଥିଲା । କିନ୍ତୁ ଗାଡ଼ିଟି ଅବକାରୀ ବିଭାଗ ଅଫିସରୁ ବାହାରିବା ସଂକେତ ଗାଡ଼ି ମାଲିକ ସେକ୍ ତବରେଜଙ୍କ ନିକଟକୁ ଆସିଥିବା ଜିପିଏସ୍ ନୋଟିଫିକେଶନରୁ ଜଣାପଡିଥିଲା। ଫଳରେ ତବରେଜ ଗାଡିକୁ ଟ୍ରାକ କରି କିଛି ଲୋକଙ୍କୁ ନେଇ ତାହା ଇଚ୍ଛାପୁର ନିକଟ ଏକ ସ୍ଥାନ ରେ କୋଇଲା ଚୋରା ଚାଲାଣ ହେଉଥିବାର ଦେଖିଥିଲେ। ମାତ୍ର ଅନ୍ଧାରର ସୁଯୋଗରେ ଗାଡ଼ି ଚାଳକ ଗାଡିଟିକୁ ନେଇ ଅନ୍ୟ ଏକ ସ୍ଥାନରେ ଲୁଚାଇ ଦେଇଥିଲେ । ଫଳରେ ତବରେଜ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜିପିଏସ୍ ଲୋକେସନ ଦେଖି ଗ୍ରାମାଂଚଳ ଥାନା ଅଧୀନ କୋର୍କରାରୁ ଗାଡ଼ିଟିକୁ ଜବତ୍ କରି ଥାନାକୁ ଆଣିଛି । କିନ୍ତୁ ଏଭଳି ଏକ ଚାଂଚଲ୍ୟ ଘଟଣାକୁ ନେଇ ଅବକାରୀ ବିଭାଗ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ତେବେ ଅବକାରୀ ବିଭାଗ ଦ୍ୱାରା ଜବତ୍ ଗାଡ଼ିଟି ବେଲ ହୋଇନଥିବା ବେଳେ ପୁଣି ପୋଲିସ ଦ୍ୱାରା ଚୋରା କୋଇଲା କାରବାରରେ ଜବତ୍ ହେବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।