Odiapua.com

ଅବକାରୀ ଓ ପୁଲିସ୍ ବିଭାଗ ଚେଇଁ ଶୋଇଛି, ମହିଳାଙ୍କ ଦ୍ୱାରା ଗଞ୍ଜେଇ ଜବତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ ସମଗ୍ର ରାଜ୍ୟରେ ବ୍ରାଉନସୁଗାର, ଗଂଜେଇ, ଅଫିମ ଓ ଚୋରା ମଦର ହବ୍ ପାଲଟିଛି। ଏହାକୁ ରୋକାଯିବା କ୍ଷେତ୍ରରେ ନା ଅବକାରୀ ବିଭାଗ ନା ପୁଲିସ୍ ପ୍ରଶାସନ କେହିବି ଆଖିଦୃଶିଆ କାର୍ଯ୍ୟ କରୁନାହାଁନ୍ତି। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଏହି ଦୁଇ ବିଭାଗ ପରସ୍ପର ପ୍ରତି କାଦୁଅ ଫିଙ୍ଗି ‘ନରେବା ଗୁଂଜରେ, ଅଶ୍ୱସ୍ତମା ହତ’ ଭଳି ‘ଆମର ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ’ ଜନିତ କାରଣ ଦର୍ଶାଇ ଚାଲିଛନ୍ତି। ଏବଂ ଏହି ମାଦକ ଦ୍ରବ୍ୟ ଗୁଡିକର ରୋକାଯିବା ପାଇଁ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ସତ, କିନ୍ତୁ ଅପର ଦିଗରେ ମଦରୁ ରାଜସ୍ୱ ଅଧିକ ଆସୁଥିବାରୁ ସେଥିପ୍ରତି କୋହଳ ମନୋଭାବ ପୋଷଣ କରିଚାଲିଛନ୍ତି। ଫଳରେ ଏହି ଜିଲାର ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଉପରୋକ୍ତ ଚୋରା ମାଦକ ଦ୍ରବ୍ୟର କାରବାର ଚରମ ସୀମାରେ ପହଂଚିଛି। ହାଇସ୍କୁଲ ଠାରୁ ଆରମ୍ଭ କରି କଲେଜ ପଢୁଆ ପିଲାମାନଙ୍କ ସମେତ ବେକାର ଯୁବକମାନେ ଏବେ ଧଳା ଜହର ରୂପୀ ବ୍ରାଉନସୁଗାର ରାକ୍ଷସ କବଳରେ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଥିବାବେଳେ ଦିନ ମଜୁରିଆଟିଏ କଷ୍ଟଲବ୍ଧ ମଜୁରୀରେ ଶସ୍ତା ଚୋରା ମଦ ପିଇ ପରିବାରକୁ ଛାରଖାର କରୁଛି। ତେବେ ଏ ଦିଗରେ ଏବେ ଜିଲାର ମହିଳାମାନେ ସଚେତନ ହୋଇଛନ୍ତି। ସ୍ଥାନୀୟ ବନ୍ତ ବ୍ଲକ ଅଧୀନସ୍ଥ ତରାଗୋ ଅଂଚଳର ଶତାଧିକ ମହିଳା ନିଜ ଗ୍ରାମରେ ଶମ୍ଭୁନାଥ ଦାସ ନାମକ ଜଣେ ଗଂଜେଇ ମାଫିଆଙ୍କ ଘର ଉପରେ ଚଢାଉ କରି ସେଠାରୁ ୩ ଶହ ଗ୍ରାମରୁ ଉର୍ଦ୍ଧ୍ୱ ଗଂଜେଇ ଜବତ କରିବା ଘଟଣା ଅବକାରୀ ଓ ପୁଲିସ୍ ବିଭାଗର କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ମହିଳାମାନେ ପୂର୍ବରୁ ବହୁବାର ପୁଲିସ୍ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ମହିଳାମାନେ ଆଇନ୍‌କୁ ହାତକୁ ନେଇ ଶମ୍ଭୁନାଥଙ୍କ ଘରକୁ ଘେରାଉ କରି ଯାଂଚ କରିବା ପରେ ଉକ୍ତ ଗଂଜେଇ ଜବତ କରିଛନ୍ତି। ତେବେ ୪ ଦିନ ହେଲା ତରାଗୋ ରେ ଏହି ମହିଳା ମାନେ ‘ନିଶା କୁ ନା’ ଅଭିଯାନ ଚଳାଇଥିବା ବେଳେ ଏହି ଗଂଜେଇ ଜବତ ଭଳି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। ଖାଲି ଏତିକି ନୁହଁ ଏହି ମହିଳାମାନେ ଭବିଷ୍ୟତରେ ବି ତରାଗୋ ଗ୍ରାମକୁ ନିଶା ମୁକ୍ତ କରିବାକୁ ଶପଥ ନେଇଥିବାର ସୂଚନା ମିଳିଛି।