Odiapua.com

ଅପେକ୍ଷାରତ ଟ୍ରେନ ଯାତ୍ରୀଙ୍କ ଉପରେ ଓଲଟିପଡିଲା ମାଲବାହି ଟ୍ରେନ: ୩ ମୃତ, କିଛି ଲୋକ ଚାପିହୋଇ ରହିବା ଆଶଂକା

ଯାଜପୁର୨୧।୧୧ (ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଠାରେ ଏକ ମାଲ୍ ଗାଡି ଲାଇନଚ୍ୟୁତ ହୋଇଛି। ଏହାର ବଗିଗୁଡ଼ିକ ପରସ୍ପର ଉପରେ ଚଢିଯାଇଛି। ଏହାଫଳରେ ଏହି ଦୁର୍ଘଟଣା‌ରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଆଲୋଚନା ହେଉଥିବା ବେଳେ ମୃତକଙ୍କ ପରିଚୟ ରେଲୱ ପକ୍ଷରୁ ଚିହ୍ନଟ କରାଯାଇନାହଁ। ମୃତକମାନେ ବାଲେଶ୍ବର-ଭୁବନେଶ୍ୱର ମେମୁ ଟ୍ରେନରେ ବିଭିନ୍ନ ଷ୍ଟେସନକୁ ଯିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ।

ତେବେ ରେଳବାଇର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ଜଣଙ୍କର ପ୍ରାଣହାନି ଘଟିଛି। ମୃତଦେହ ଚାପିହୋଇ ରହିଛି। ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଛି। ଏବେ ବି ୬ଟି ବଗି ଷ୍ଟେସନ୍‌ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଛି। ‌ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ଆରପିଏଫ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯକୁ ତ୍ବରାନ୍ବିତ କରୁଛନ୍ତି।

ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେବାରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଯାତ୍ରୀ ବିଶ୍ରାମାଗାରମ ଭିତରକୁ ପଶି ଯାଇଥିଲା। ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ, ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ କୋରେଇ ଷ୍ଟେସନରେ ପଶିଥିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା। ଏହାପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଟ୍ରେନ୍‌ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଜଣାଯାଇଛି।