Odiapua.com

ଅପୂର୍ବ କଥା

ଏକାଧାରରେ ଜଣେ କବି-ଗାଳ୍ପିକ-ପ୍ରାବନ୍ଧିକ-ଔପନ୍ୟାସିକ-ସ୍ତମ୍ଭକାର-ସମାଲୋଚକ-ସାମ୍ବାଦିକ-ସମ୍ପାଦକ-ସଂଗଠକ ତଥା ସୁବକ୍ତା ଭାବରେ ୰ଅପୂର୍ବ ରଂଜନ ରାୟ ଯେଉଁ ବିପୁଳ ସିଦ୍ଧି ପ୍ରାପ୍ତ ହୋଇଥିଲେ, ଯେଉଁ ଅମଳିନ ଯଶ ଓ ଖ୍ୟାତି ଲାଭ କରିଥିଲେ ତାର ତୁଳନା ଅନ୍ୟତ୍ର ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ମହାନ ଯଶସ୍ୱୀ ସ୍ରଷ୍ଟାଙ୍କର ତିରୋଧାନ ଭଦ୍ରକ ମାଟିରେ ବିଶେଷତଃ ଓଡ଼ିଶାର ସାରସ୍ୱତ ଜଗତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟିକଲା ତାହା ପୂରଣ ହେବା ସମ୍ଭବ ନୁହେଁ। ଷାଠିଏ ଖଣ୍ଡରୁ ଉର୍ଦ୍ଧ୍ୱ ପୁସ୍ତକର ରଚୟିତା ଅପୂର୍ବ ରଂଜନ ଅନେକ ଅନାଲୋଚିତ ପ୍ରତିଭାଧର ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିବା ସହିତ ସାହିତ୍ୟ ସୃଷ୍ଟି ଦିଗରେ ସେମାନଙ୍କର ପ୍ରେରଣାର ଉତ୍ସଥିଲେ। ‘ପୂଜ୍ୟପୂଜା ସଂସଦ’ର ପ୍ରତିଷ୍ଠାତା ସଭାପତି ଭାବରେ ନିୟମିତ ବୌଦ୍ଧିକ ଆଲୋଚନାଚକ୍ର ମାନ ଆୟୋଜନ କରୁଥିଲେ ଯେଉଁଥିରେ ଭଦ୍ରକ ଓ ଭଦ୍ରକ ବାହାରର ବିଶିଷ୍ଟ ବୁଦ୍ଧିଜୀବୀ, ସାହିତ୍ୟିକମାନେ ଯୋଗଦାନ ପୂର୍ବକ ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ। ଏତିକିରେ ‘ପୂଜ୍ୟ ପୂଜା ସଂସଦ’ର କାର୍ଯ୍ୟ ସୀମିତ ନଥିଲା। ପ୍ରତିବର୍ଷ ଦଶହରା ସମୟରେ ‘ବିଜୟା ମିଳନ’ର ଆୟୋଜନ ପୂର୍ବକ ଭଦ୍ରକ ତଥା ଓଡ଼ିଶାର ପ୍ରଜ୍ଞାପୁରୁଷ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକଦିବସ ବ୍ୟାପୀ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ ତାହା ଭଦ୍ରକ ମାଟିର ସାଂସ୍କୃତିକ ବାତାବରଣର ମହନୀୟତା ଉଦ୍‌ଘୋଷଣ କରୁଥିଲା। ସେହିପରି ମହାବିଷୁବ ସଂକ୍ରାନ୍ତିରେ “ବିଷୁବ ମିଳନ” ଥିଲା ଅପୂର୍ବବାବୁଙ୍କ ସାଂସ୍କୃତିକ, ସାମାଜିକ ଚେତନାର ଏକ ବଳିଷ୍ଠ ନମୁନା ଯାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ। ମାସିକ ‘ସାଳନ୍ଦି ସମାଚାର’ ପତ୍ରିକାର ସଂପାଦନା ୰ରାୟଙ୍କର ଅନ୍ୟ ଏକ କୃତୀ ଯେଉଁଥିରେ ଭଦ୍ରକ ଜିଲାର ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ ଦିଗରେ ପ୍ରଶାସନିକ ବିଫଳତାକୁ ନିର୍ଭୀକ ଭାବରେ ଚିତ୍ରଣ ପୂର୍ବକ ଜନମାନସରେ ସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ।

ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା ଦାୟିତ୍ୱ ତୁଲାଇ ସେ ଗଳ୍ପ, ପ୍ରବନ୍ଧ, ଲଳିତ ନିବିନ୍ଧ ଆଦି ଲେଖିବାରେ ନିବେଶ କରିଥିଲେ। ପରେ ବୁଝିଥିଲି କବିତା ଭଳି ଅପୂର୍ବ ରଂଜନ ସାହିତ୍ୟର ଅନ୍ୟାନ୍ୟ ବିଭାଗ ତଥା ସାମ୍ବାଦିକତା ମଧ୍ୟ ସ୍ୱକୀୟ ସ୍ୱାକ୍ଷର ରଖିବାରେ ସମର୍ଥ ହୋଇଛନ୍ତି। ତାଙ୍କ ସଂପାଦିତ ’ସାଳନ୍ଦୀ ସମାଚାର’ ପଢ଼ିଲାବେଳେ ପ୍ରତିଭା ପୂଜା ପାଇଁ ତାଙ୍କ ଉତ୍ସାହ ଦେଖିବା ବେଳେ ତାଙ୍କୁ ଅନେକ ସମୟରେ ମନେ ମନେ ଧନ୍ୟବାଦ ଜଣାଉଛି। ଜଣେ ସାହିତ୍ୟିକ ଓ ସାମ୍ବିଦିକ କରନ୍ତା ଆଉ କଣ । ଜୀବନ ରଙ୍ଗମଞ୍ଚରେ ହସି ହସି ଆବୃତ୍ତି ସର୍ଜନା କରିବାରେ ହିଁ ଜୀବନର ପରିପୂର୍ଣ୍ଣତା। ଅପୂର୍ବ ଭାଇଙ୍କ ବ୍ୟକ୍ତିତ୍ୱରେ ଅନେକ ସମୟରେ ଏହି ପରିପୂର୍ଣ୍ଣତା ଦେଖିବାକୁ ଆଜି ତାଙ୍କ ଅନୁପସ୍ଥିତିରେ ମୁଁ ଅନୁଭବ କରୁଛି ଅପ୍ରୀତିକର ଶୋକାକୁଳ ନୀରବତା।

– ପ୍ରମୋଦ କୁମାର ରାୟ