Odiapua.com

ଅପହୃତ ଯୁବକ ଉଦ୍ଧାର, ଅପହରଣକାରୀଙ୍କ ସମେତ ବୋଲେରୋ,ବନ୍ଧୁକ ଜବତ

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଯୁବକଙ୍କୁ ଅପହରଣ କରିନେଇ ତାଙ୍କ ପରିବାର ଲେକାଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ମାଗୁଥିବା ଅପହରଣକାରୀ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏଥି ସହିତ ଏକ ବୋଲେରୋ ଭ୍ୟାନ (ଓଆର୍ ୦୧ଏଲ୍ ୮୪୨୧), ଗୋଟେ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି ଜବତ କରାଯାଇଛି । ଗତ ୧୯ ତାରିଖ ସନ୍ଧ୍ୟାରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବହୁଦରଡା ଗ୍ରାମର ପ୍ରକାଶ ସିଂଙ୍କ ପୁତ୍ର ଗଜେନ୍ଦ୍ର (୨୫) ଙ୍କୁ ଅପହାରଣକାରୀମାନେ ଗୋଟିଏ ବୋଲେରୋ, ୨ଟି ବାଇକ୍‌ରେ ଆସି ବନ୍ଧୁକ, ଖଣ୍ଡା, ଭୁଜାଲି ଦେଖାଇ ତାଙ୍କୁ ଅପହରଣ କରି ନେଇଯାଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଅପହରଣକାରୀମାନେ ୪୫ ଲକ୍ଷ ଟଙ୍କା ନ ଦେଲେ ଗଜେନ୍ଦ୍ରଙ୍କୁ ଜୀବନରୁ ମାରିଦେବେ ବୋଲି ତାଙ୍କ ପିତା ପ୍ରକାଶଙ୍କୁ ଧମକ ଦେଉଥିଲେ । ପୁଲିସ ମୋବାଇଲ ଟ୍ରାକିଂ ଜରିଆରେ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଅପରାଧୀମାନେ ଗଜେନ୍ଦ୍ରଙ୍କୁ ନେଇ କୋରାପୁଟ ପଳେଇଥିଲେ । ପୁଲିସ କେରାପୁଟ ପହଞ୍ଚିବା ପରେ ସେମାନେ ତାହା ଜାଣିପାରି ପୁଣି ବାଲେଶ୍ୱରକୁ ଫେରି ଆସିଥିଲେ । ଗଜେନ୍ଦ୍ରଙ୍କୁ ନାନା ପ୍ରକାର ନିର୍ଯାତନା ଦେଇ ତାଙ୍କୁ ବାଲେଶ୍ୱର ରେମୁଣା ଗୋଲେଇ ଠାରେ ଛାଡି ଦେଇଥିଲେ । ଭଦ୍ରକ ପୁଲିସ ଓ ବାଲେଶ୍ୱର ପୁଲିସ କୌଶଳ କରି ଗଜେନ୍ଦ୍ରଙ୍କୁ ଉଦ୍ଧାର କରିବା ସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତାଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଥାନା କେଶ୍ ନଂ ୫୫୮/୨୦ ମାମଲା ରୁଜୁ ହୋଇଛି । ଗିରଫମାନେ ହେଲେ ରୁପ୍‌ସା ଥାନା ଲଛମନଖୁଣ୍ଟା ଗ୍ରାମର ମୁସ୍ତାକ ଖାଁ (୨୭), ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହି ଅଞ୍ଚଳର ଏନ୍‌. ରୋହିତ ରାଓ ଓରଫ ଏନ୍‌. ଦେବେନ୍ଦ୍ର ରାଓ (୨୨), ଏହି ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳର ବିଶ୍ୱଜିତ୍ ଷଣ୍ଢ (୨୩), ସଦର ଥାନା ଅନ୍ତର୍ଗତ ହର୍ଷପୁରା ଗ୍ରାମର ବିଜୟ ଦାସ (୨୫) । ସମସ୍ତେ ବାଲେଶ୍ୱର ଜିଲ୍ଲାର । ଏହି ଅଭିଯୁକ୍ତମାନେ ମୁଖ୍ୟତଃ ଗଞ୍ଜେଇ ବ୍ୟବସାୟ କରିଥାନ୍ତି । ଏମାନଙ୍କ ନାମରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ କ୍ରିମିନାଲ କେସ୍ ରହିଛି ବୋଲି ପୁଲିସ କହିଛି । ଏହି ଘଟଣାର ତଦନ୍ତ ଚାଲୁଥିବାରୁ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତମାନଙ୍କର ନାମ ଗୋପନ ରଖାଯାଇଛି ବୋଲି ପୁଲିସ୍ ସୂତ୍ରରୁ ଖବର ମିଳିଛି ।