Odiapua.com

ଅପର୍ତ୍ତିବିନ୍ଧା ଉନ୍ନୟନ କମିଟିର ସାଧାରଣ ପରିଷଦ ବୈଠକ

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅପର୍ତ୍ତିବିନ୍ଧା ନିଉକଲୋନୀ ଉନ୍ନୟନ ପରିଷଦ କମିଟିର ବୈଠକ ଆଜି କଲୋନୀ ସ୍ଥିତ ଜ୍ୟୋତି ପ୍ରକାଶ ଦାସଙ୍କ ଘରେ ଅନୁଷ୍ଠିତ ହୋଇଥିଲା । କମିଟିର ସ୍ଥାୟୀ ସଭାପତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସମାଜସେବୀ ହରମୋହନ କୁଅଁର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଧୂପ ଦୀପ ପ୍ରଳ୍ୱଳନ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ପାଢ଼ୀ ବେଦମନ୍ତ୍ର ପାଠ କରିଥିଲେ । କଲୋନୀ ମଧ୍ୟରେ ସ୍ଥାୟୀ ଭାବରେ ବସବାସ କରୁଥିବା ବିଗତ କିଛି ବର୍ଷ ମଧ୍ୟରେ ଦିବଂଗତ ୧୫ଜଣ ଅଧିବାସୀଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଉପସ୍ଥିତ କଲୋନୀବାସୀଙ୍କୁ ଉପସଭାପତି ମନୋଜ କୁମାର ଗୋସ୍ୱାମୀ ସ୍ୱାଗତ କରିବା ସହିତ ସେମାନଙ୍କର ଯୋଗଦାନ ସକାଶେ ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ମଲ୍ଲିକ ସଂପାଦକୀୟ ବିବରଣୀ ଓ କୋଷାଧ୍ୟକ୍ଷ ଗଦାଧର ପଣ୍ଡା ବିଗତ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । କିଛି ସମୟ ଧରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା ଓ ଉପସ୍ଥିତ କଲୋନୀବାସୀମାନଙ୍କ ମଧ୍ୟରୁ ଅଧିକାଂଶ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କମିଟିକୁ ପଞ୍ଜିକରଣ କରାଯିବା ଉପରେ ଗୁରୁତ୍ୱାରୋପ କରି ବୈଠକରେ ଆଲୋଚନା କରାଯାଇଥିଲା । ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସଭାପତି ଗୁରୁତ୍ୱ ଦେଇ ନିଜର ମତ ଉପସ୍ଥାପନ କରିଥିଲେ । ରାସ୍ତାଘାଟ ପରିଷ୍କାର କରିବା, କଲୋନୀକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ଉପରେ ସଭାପତି ଶ୍ରୀଯୁକ୍ତ କୁଅଁର ଗୁରୁତ୍ୱାରୋପ କରିଥିଲେ । ବୈଠକରେ ସହସଂପାଦକ କୃଷ୍ଣଚନ୍ଦ୍ର ନାୟକ, ସଭ୍ୟ ଆନନ୍ଦ ସାହୁ, ସୁବ୍ରତ କୁମାର ସାହୁ, ଜ୍ୟୋତିପ୍ରକାଶ ଦାସ, ଚନ୍ଦ୍ରକାନ୍ତ ରାଉତ, ପଞ୍ଚାନନ ଓଝା, କାହ୍ନୁ ଚରଣ ବେହେରା, ଶ୍ରୀଧର ଦାସ, ତ୍ରିଲୋଚନ ଦ୍ୱିବେଦୀ, ଗୌରଚନ୍ଦ୍ର ନନ୍ଦୀ, ମୁକ୍ତିକାନ୍ତ ମହାନ୍ତି ପ୍ରମୁଖ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଇଞ୍ଜିନିୟର ଅମରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।