Odiapua.com

ଅପରାଧ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଉପରେ ପ୍ରାଧାନ୍ୟ ଦିଆଯାଉଛି : ଆରପିଏଫ ଆଇଜି

ସମ୍ବଲପୁର, ୭/୧୧ (ଓଡ଼ିଆ ପୁଅ) ବୈଷୟିକ ଜ୍ଞାନ କୌଶଳ ସହିତ ତାଳଦେଇ ଅପରାଧ ନିୟନ୍ତ୍ରଣ ଏବଂ ଅନୁସଂଧାନ ଉପରେ ଜୋର ଦିଆଯାଉଛି ବୋଲି ରେଳ ସୁରକ୍ଷା ବଳ (ଆରପିଏଫ)ର ଆଇଜି ରାଜାରାମ କହିଛନ୍ତି। ଆଜି ସମ୍ବଲପୁରର ରେଳ ସୁରକ୍ଷା ବାହିନୀର ବିଭିନ୍ନ କାର୍ଯ୍ୟର ପରିଦର୍ଶନ ପାଇଁ ଗସ୍ତ ଅବସରରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସାଇବର ସମ୍ବଂଧିତ ଅପରାଧର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପୁର୍ବତଟ ରେଳବାଇର ଖୋର୍ଦ୍ଧା ଠାରେ ଏକ ସାଇବର ସିକ୍ୟୁରିଟି ସେଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆର୍ଥିକ ମଞ୍ଜରି ମିଳିଛି। ଏହି ସେଲ ସହିତ ସମସ୍ତ ଥାନା ଓ ପୋଷ୍ଟକୁ ସଂଯୋଗ କରାଯିବ। ସାଇବର ଅପରାଧ ସମ୍ପର୍କିତ ସବୁ ଅଭିଯୋଗର ଅନୁସଂଧାନ ବୈଷୟିକ ପଦ୍ଧତିରେ ଏହି ସେଲରେ କରାଯିବ। ଖାସକରି ଇ-ଟିକେଟିଂ ଭଳି କ୍ଷେତ୍ରରେ ହେଉଥିବା ଠକାମୀରେ ସାମିଲ ଅଭିଯୁକ୍ତଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଉଛି। ବଜାରରୁ ସଫ୍ଟୱେର ସଂଗ୍ରହ କରି ଏହି ଅପରାଧୀମାନେ ମେଲ ଆଇଡ଼ି ଓ ୟୁଜର୍ସ ଆଇଡ଼ି ମାଧ୍ୟମରେ ତକ୍ରାଳ ପ୍ରଭୃତି ଟିକେଟ ନେଟ ଜରିଆରେ ଠୋଳ କରୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସାଇବର ସେଲ ଏହାର ସୂତ୍ରରେ ପହଂଚିବା ପାଇଁ ପଦକ୍ଷେପ ନେଇ ପାରିବ। ଛଅ ମାସ ଭିତରେ ଏହି ସେଲ କାର୍ଯ୍ୟକ୍ଷମ ହେବ। ଏହାର ପରିଚାଳନା ସକାଶେ କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ବ ହେବ।

ଆରପିଏଫ ଆଇଜି ରାଜା ରାମ ଆହୁରି ମଧ୍ୟ କହିଲେ ଯେ, ରେଳ ଯାତ୍ରୀ, ରେଳବାଇର ସମ୍ପତ୍ତି, ରେଳ ଯାତାୟତର ସୁରକ୍ଷା ପାଇଁ ଆରପିଏଫ ସଦା ତତ୍ପର ରହିଛି। ତେବେ ରେଳ ଯାତ୍ରୀ ଏବଂ ରେଳବାଇର ସୁରକ୍ଷାରେ ସାଧାରଣ ଲୋକଙ୍କ ମଧ୍ୟ ସହଯୋଗ ଆବଶ୍ୟକ। ସୁରକ୍ଷା ସେବା ପ୍ରଦାନ ପାଇଁ ଯେ କେହି ମଧ୍ୟ ୧୮୦ ନମ୍ବରରେ ଫୋନ କରିପାରିବେ। ରେଳ ଉପରକୁ ପଥର ଫିଂଗାଯିବା ଘଟଣା ବାବଦରେ ସେ କହିଲେ ଯେ, ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହିଭଳି ଅଭିଯୋଗ ସ୍ଥାନ ଗୁଡ଼ିକୁ ଚହ୍ନଟ କରାଯାଇ ସେଠାରେ ଜନସଚେତନତା ସୃଷ୍ଟି କରାଯିବ। ରେଳ ଜୋନରେ ବାହିନୀର ଏସଆଇ ଏବଂ ସିପାହୀ ପଦରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଖୁବଶୀଘ୍ର ଏହା ସମ୍ପୂର୍ଣ ହେବ। ସେହିଭଳି ଆରପିଏଫରେ କର୍ମଚାରୀମାନଙ୍କ ସୁବିଧା ସୁଯୋଗ ଠାରୁ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକୁ ଡ଼ିଜିଟାଲାଇଜେସନ କରାଯିବ। ପରିବେଶ ଅନୁକୂଳ ପାଇଁ କାଗଜର ବ୍ୟବହାର ହ୍ରାସ କରାଯିବ। ରେଳବାଇ ପକ୍ଷରୁ ସମସ୍ତ ଷ୍ଟେସନର ସିସିଟିଭି ସଂଯୋଗ କରାଯାଉଛି। ଯାତ୍ରୀବାହୀ ରେଳରେ ମଧ୍ୟ ଏହି ସୁବିଧା ରହିବ। ସବୁ ନୂତନ ଯାତ୍ରୀବାହୀ ରେଳ ଏବଂ ଓଭରହ୍ୱାଲିଂ ପାଇଁ ଯାଉଥିବା ଟ୍ରେନରେ ମଧ୍ୟ ଏହି ସୁବିଧା ରହିବ ବୋଲି ସେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡ଼ିଭିଜନର ବରିଷ୍ଠ ସୁରକ୍ଷା କମିଶନର ଅଜିତ କୁମାର ବର୍ଣ୍ଣୱାଲ ଏବଂ ସହକାରୀ ସୁରକ୍ଷା କମିଶନର ଏସ କେ ଟପ୍ପୋ ଉପସ୍ଥିତ ଥିଲେ।