Odiapua.com

ଅପରାଧ ନିୟନ୍ତ୍ରଣରେ ଭଦ୍ରକ ଏସ୍‌ପିଙ୍କ ହେଲପ୍ ଲାଇନ୍ ନମ୍ବର ଜାରି

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାରେ ଅପରାଧ ନିୟନ୍ତ୍ରଣ ରୋକିବା ନେଇ ଏସ୍‌ପି ମନୋଜ ରାଉତ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି। ଏହାଫଳରେ ଲୋକେ ଅପରାଧ ଓ ଅପରାଧୀଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ପଡିଲେ ଯଥାଶୀଘ୍ର ପୁଲିସ୍‌ର ସହାୟତା ନେଇପାରିବେ ବୋଲି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଏସ୍‌ପି ଶ୍ରୀ ରାଉତ୍ ଏକକାଳୀନ ୬ଟି ଜରୁରୀ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି। ବିଶେଷକରି ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଏବଂ ତଳସ୍ତରରେ ଘଟୁଥିବା ଅପରାଧ ନିୟନ୍ତ୍ରଣ କରିବା ପାଇଁ ଶ୍ରୀ ରାଉତଙ୍କ ପକ୍ଷରୁ ଏହି ହେଲପ୍ ଲାଇନ୍ ନମ୍ବର ଜାରି ହୋଇଛି। ଏହି ନମ୍ବର ମଧ୍ୟରେ ମହିଳାଙ୍କ ସୁରକ୍ଷା ଲାଗି ୧୮୧, ଶିଶୁ ସୁରକ୍ଷା ଡେସ୍କ ଲାଗି ୧୦୯୮, ଜରୁରୀ କାଳୀନ ହେଲପ୍ ଲାଇନ୍ ପାଇଁ ୧୧୨, ମାନସିକ ସ୍ୱାସ୍ଥ୍ୟ ପାଇଁ ୧୮୦୦୮୯୧୪୪୧୬ / ୧୪୪୧୬, ଜିଲା ଏସ୍‌ପିଙ୍କର ୯୫୩୮୦୦୨୮୬୪୪ ଏବଂ ଜିଲା ଏସ୍‌ପି ଅଫିସ୍ ପାଇଁ ୦୬୭୮୪୨୪୨୦୩୫ ନମ୍ବର ଜାରି କରାଯାଇଛି। ଜାରି କରାଯାଇଥିବା କିଛି ହେଲପ୍ ଲାଇନ୍ ନମ୍ବର ଜରିଆରେ ମକ ଡ୍ରିଲ୍ କରାଯାଇଥିବାବେଳେ ଆଉ କିଛି ବାକି ଥିବା ବିଷୟ ଏସ୍‌ପି ଶ୍ରୀ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ତଳ ସ୍ତରରେ ବୃଦ୍ଧି ପାଉଥିବା ଅପରାଧ ଉପରେ ପୁଲିସ୍ କଡା ନଜର ରଖିବା ନେଇ ଏଭଳି ହେଲପ୍ ଲାଇନ୍ ନମ୍ବର ଜାରି କରାଯିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ରାଉତ କହିଛନ୍ତି। ଇତିମଧ୍ୟରେ ସବୁ ଥାନାରେ ହେଲପ୍ ଲାଇନ୍ ନମ୍ବର ୧୧୨ ଉପରେ ମକଡ୍ରିଲ୍ କରାଯାଇଥିଲେ ମଧ୍ୟ ମହିଳା ସୁରକ୍ଷା ପାଇଁ ଉଦ୍ଦିଷ୍ଟ ହେଲପ୍ ଲାଇନ୍ ନମ୍ବର ୧୮୧ ଏବଂ ଶିଶୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ୧୦୯୮ ହେଲପ୍ ଲାଇନ୍ ନମ୍ବରକୁ ନେଇ ମକଡ୍ରିଲ ପାଇଁ ଜିଲାର ସବୁ ଥାନାକୁ ଅବଗତ କରାଯାଇଛି। ଅନୁରୂପ ଜିଲାର ଯୁବଛାତ୍ର ବର୍ଗଙ୍କ ପୁଲିସ୍ ସହାୟତା ଲାଗି ଏସ୍‌ପି ନିଜେ ତାଙ୍କ ନମ୍ବର ଓ ଅଫିସ୍ ନମ୍ବର ଦେଇଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ହେଲପ୍ ଲାଇନ୍ ନମ୍ବରକୁ ସାର୍ବଜନୀନ କରିବା ପାଇଁ ଏହାକୁ ବିଭିନ୍ନ ଛକ ଓ ଜନଗହଳି ସ୍ଥାନମାନଙ୍କରେ ୱାଲ ପେ ଂଟି ଜରିଆରେ କରାଯିବା ନେଇ ଶ୍ରୀ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।