ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପ୍ରତି ସମାଜରେ ଅପରାଧପ୍ରବଣତା ଏତେ ବୃଦ୍ଧିପାଇଛି ଯେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନାଗରିକ ସମାଜ ଓ ଅନିଶ୍ଚୟତା ମଧ୍ୟରେ ସାଧାରଣ ନିରାପତା। ନିତିଦିନିଆ ଜୀବନ ଯାତ୍ରା ଅସହ୍ୟ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥା ଓ ଆମ ବୁଦ୍ଧିଜୀବୀ ସମାଜ ଏଥିନେଇ ଚିନ୍ତାଗ୍ରସ୍ତ। କଠୋର ଆଇନର କାର୍ଯ୍ୟାନ୍ୱୟନ, ସାମାଜିକ ସଚେତନତା, ନୈତିକ ଶିକ୍ଷାର ଅଭାବ ଓ ପ୍ରତିବାଦ-ହୀନତା ଯୋଗୁଁ ନାନା ଅପରାଧିକ କାର୍ଯ୍ୟକଳାପ କାୟାବିସ୍ତାର ହେଉଛି ବୋଲି ତ୍ୟାଗଭୂମିର ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ଆଜିର ମଂଚ ‘ସଂଗ୍ରାମୀ ମହମ୍ମଦ ହନିଫ୍’ଙ୍କ ନାମରେ ଥିଲା ଉତ୍ସର୍ଗୀକୃତ। ତ୍ୟାଗଭୂମି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଇଂ. ଅଖିଳ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ଏହି ମଂଚରେ ‘ଭୟହୀନ ଅପରାଧ ଓ ଭୟଭୀତ ସମାଜ’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ମନୋବିଜ୍ଞାନ ବିଶ୍ଳେଷକ ଡା. ଦୁର୍ଯ୍ୟୋଧନ ଦାସ ଯୋଗଦେଇ ଅପରାଧ ଏବେ ମନସ୍ତତ୍ୱର ଅଂଶ ହୋଇଯାଇଛି। କେବଳ ଚୋରି, ଡକାୟତି କି ଛିନତାଇ ଭଳି ଘଟଣା ନୁହେଁ, ‘ଡିଜିଟାଲ ଆରେଷ୍ଟ’, ‘ସାଇବର କ୍ରାଇମ୍’, ‘ସୋସିଆଲ ମିଡ଼ିଆ କ୍ରାଇମ୍’ ଭଳି ଅନ୍ତର୍ନିହିତ ଅପରାଧିକ କାର୍ଯ୍ୟକଳାପ ଆଜି ଅନେକ ମାତ୍ରାରେ ଆମ ଧନଜୀବନ ନଷ୍ଟକରୁଛି ବୋଲି ମତ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭଲେଖିକା ଡ. ଚିନ୍ମୟ ହୋତା ଯୋଗଦେଇ ଅପରାଧୀର ନିଃଶଙ୍କୋଚ ଚଳପ୍ରଚଳ ଦେଖି ସାଧାରଣ ଲୋକେ ଆଶଙ୍କିତ ହେବା ଆମ ସୁସ୍ଥସମାଜ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଓ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଂଚ ସଭାପତି ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ବିଷୟଭିତିକ ସ୍ୱକୀୟ ଚିନ୍ତନ ବ୍ୟକ୍ତ କରିଥିଲେ। ତ୍ୟାଗଭୂମି ସମ୍ପାଦକ ଅଧିବକ୍ତା ଗଦାଧର ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ପ୍ରଭାତ ବିଜୟ ମଂଚ ଆହ୍ୱାନ କରିଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ ସମ୍ବର୍ଦ୍ଧିତ ଅଭିନେତା ଗୌରାଙ୍ଗ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାର ଏକମାତ୍ର ଯାତ୍ରାନୁଷ୍ଠାନ ‘ରାଜନନ୍ଦିନୀ’ ଅପେରାର ପ୍ରଯୋଜକ ଇଂ. ସ୍ତୁତିରଞ୍ଜନ ପଲାଇଙ୍କୁ ଏ ବର୍ଷର ଚର୍ଚ୍ଚିତ ନାଟକ ‘ଏମିତି ବିଚାର କେବେ ଦେଖିନି’ ନାଟକର ଜନାଦୃତି ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂଗଠନ ସମ୍ପାଦକ ସୁଧାକର ରାଉତ, ସାଂସ୍କୃତିକ ସମ୍ପାଦକ ବସନ୍ତ ମହାନ୍ତି, ସଦସ୍ୟ ଅଶୋକ ଦ୍ୱିବେଦୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ସାହିତ୍ୟକ ଶାନ୍ତନୁ କୁମାର ରାଉତ, ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ବସୁମିତ୍ରା ସାହୁ, ରାମଚନ୍ଦ୍ର ନାୟକ, ଅଧ୍ୟାପକ ନାସିର ବକ୍ସ, ଡ. ଅଭୟ କୁମାର ଦାସ, ବାବୁଲାଲ୍ ଦାସ, ଶାନ୍ତନୁ ନାୟକ,ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଚର୍ଚ୍ଚିକା ମହାପାତ୍ର, ବିଚିତ୍ରାନନ୍ଦ ମହାନ୍ତି, ଗୋବର୍ଦ୍ଧନ ଦାସ, ସଞ୍ଜୟ କୁମାର ମାଝୀ, ରାଜୀବଲୋଚନ ବଳ, ନାରାୟଣ ପାଢ଼ୀ, ଇଂ. ବସନ୍ତ ପାଣିଗ୍ରାହୀ, ପଦ୍ମନ ରାୟ, ଅଭୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଚରମ୍ପା ‘ତେଜସ୍ୱିନୀ ପଲାଇ ଏଣ୍ଡ୍ ଟ୍ରୁପ୍’ ପକ୍ଷରୁ ‘ଅକ୍ଷୟ ସ୍ମୃତିସନ୍ଧ୍ୟା’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।