Odiapua.com

ଅନ୍‌ଲାଇନ୍ ଗେମ୍ ଖେଳି ଘରଛାଡ଼ି ଫେରାର ଥିବା ଯୁବକର ଗଳିତ ଶବ ଉଦ୍ଧାର

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଂଚାୟତର ହାତିଡ଼ିହ ନିକଟସ୍ଥ ଏକ ଘଞ୍ଚବଣରୁ ଆଜି ଖପୁରି ସହ କିଛି ହାଡ଼ ଦେଖିବାକୁ ମିଳିଥିଲା। ଯାହା କୁ ସନ୍ଦେହ କରି ଆନନ୍ଦପୁର ପଂଚାୟତର ଚମ୍ପାବାଘ ଗ୍ରାମର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ୱର ନାୟକ (୧୯)ର ଶବ ବୋଲି ଅନୁମାନ କରାଯାଇଥିଲା। ପ୍ରକାଶ ଥାଉକି ୨୦୨୧ ନଭେମ୍ବର ୨ତାରିଖରେ ଖଗେଶ୍ୱର ଏକ ସ୍ମାର୍ଟଫୋନ୍‌ରେ ଅନ୍‌ଲାଇନ୍‌ରେ ଫ୍ରିଫାୟାର ଓ ଆକାଲୁଡ଼ୁ ଗେମ୍‌ଖେଳି ତାଙ୍କ ବାପାଙ୍କ ଏକାଉଣ୍ଟରୁ ଏକାଧିକବାର ହଜାର ହଜାର ଟଙ୍କା ଉଠାଇ ନେଇଯାଇଥିଲେ। ଏନେଇ ବାପାଙ୍କ ଗାଳିଦେବା ଭୟରେ ଖଗେଶ୍ୱର ଗତ ୨୦୨୧ ଡ଼ିସେମ୍ବର ୧୮ ତାରିଖରୁ ଘରଛାଡ଼ି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ବାପା ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ସକାଳେ କେତେକ ଯୁବକ ସରସ୍ୱତୀପୂଜା ପାଇଁ ବାଉଁଶ ପାଇଁ ସେହି ବଣକୁ ବାଉଶ କାଟିବାକୁ ଯାଇଥିବାବେଳେ ସେଠାରେ ଏକ ଗଛରେ ଶରୀର ବିହୀନ ଗଳିତ ଖପୁରି ଝୁଲୁଥିବାର ଦେଖିଥିଲେ। ଏଣୁ ସଂଗେ ସଂଗେ ଗାଁରେ ଉକ୍ତ ଖବର ଦେବାପରେ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ଖପୁରିକୁ ଜବତ କରି ଏକ ଅପମୃତ୍ୟୁ ମାମଲା ୪/୨୨ରେ ରୁଜୁ କରିଥିଲେ। ଯେହେତୁ ଉକ୍ତ ଘଟଣାଟି ଦୀର୍ଘଦିନ ଘଟିଯାଇଛି ଏବଂ ଶବର କିଛି ଚିହ୍ନବର୍ଣ୍ଣ ମିଳୁନାହିଁ ଏନେଇ ବାଲେଶ୍ୱରରୁ ଗୁରୁବାର ଘଟଣାସ୍ଥରେ ସାଇନ୍‌ଟିଫିକ୍ ଟିମ୍ ଦ୍ୱାରା ଗଳିତ ଖପୁରିକୁ ଫରେନ୍‌ସିକ୍ ଲାବୋରେଟେରିକୁ ପଠାଯିବା ସହ ଘଟଣା ଗୁରୁତର ସହ ତଦନ୍ତ କରାଯିବବୋଲି ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁ ସୂଚନା ଦେଇଛନ୍ତି।