ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀମାନେ ପୁରୁଷଙ୍କ ଠାରୁ ଆଉ ପଛରେ ନାହାଁନ୍ତି। ବିଭିନ୍ନ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ପକାଇ ନାରୀମାନେ ବହୁ ଆଗକୁ ଯାଇ ପାରିଛନ୍ତି ।ବିଜ୍ଞାନର ଉନ୍ନତି ସଂଗେ ସଂଗେ ନାରୀମାନେ ନିଜ ପ୍ରତିଭାକୁ ସାଥି କରି ଶୀର୍ଷ ସୋପାନରେ ପହଁଂଚିଛନ୍ତି । ଏହିପରି ଜଣେ ଓଡ଼ିଆ ଝିଅ ହେଉଛନ୍ତି ଦିଲ୍ଲୀରେ ଜନ୍ମିତ କନିଷ୍କା ପାତ୍ର । ମାତ୍ର ୧୯ ବର୍ଷ ବୟସରେ ସୁଦୂର ସାଉଥ ଆଫ୍ରିକା ରୁସ୍ତେନବର୍ଗ ସ୍ଥିତ ଜହ୍ନସବର୍ଗରେ ପାଇଲଟ ଭାବରେ ଟ୍ରେନିଂ ନେଉଛନ୍ତି । ସେ ବର୍ତମାନ ୧୦ ହଜାର ଫୁଟ ଉଚ୍ଚ ଆକାଶମାର୍ଗରେ ପାଇଲଟ ଭାବେ ଉଡ଼ାଜାହାଜ ଉଡ଼ାଇବାର ଦକ୍ଷତା ଅର୍ଜନ କରି ପ୍ରଶିକ୍ଷଣ ଏକାଡେମୀ ତରଫରୁ ପୁରସ୍କୃତ ହୋଇଛନ୍ତି । ଏହାକୁ ନିଜର ପେସା ଭାବେ ଗ୍ରହଣ କରି ଅଳ୍ପଦିନ ପରେ ଭାରତ ଫେରି ଆସି କୌଣସି କଂପାନୀରେ ଯୋଗଦେଇ ଉଡ଼ାଜାହାଜ ଉଡାଇବେ ବୋଲି ସେ କହିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ସେଣ୍ଢତିରା ପଂଚାୟତ ଖଳାଗଡ଼ିଆ ଗ୍ରାମର ଉଦ୍ୟୋଗୀ ଯୁବକ ତଥା ନୂଆଦିଲ୍ଲୀ ସ୍ଥିତ ଦୁସାଦ କନଷ୍ଟ୍ରକସନ କଂପାନୀ ମ୍ୟାନେଜର ସୁକାନ୍ତ ପାତ୍ର ଓ ସୁପରିତାଙ୍କ ଏକ ମାତ୍ର ଝିଅ କନିଷ୍କା ନୂଆଦିଲ୍ଲୀସ୍ଥିତ ଦ୍ୱାରକା ଏମ୍ ଏଲ୍ ଖାନ୍ନା ଡିଏଭି ପବ୍ଲିକ ସ୍କୁଲରେ ଅଧ୍ୟୟନ କରିଥିଲେ । ଉକ୍ତ ବିଦ୍ୟାଳୟରେ ସେ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ଥିଲେ । ମ୍ୟାଟ୍ରିକ ଓ +୨ରେ ମଧ୍ୟ ସେ ବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇ ଟପ୍ପର ହୋଇପାରିଥିଲେ। ନିଜର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସେ ଆଜି ୧୦ ହଜାର ଫୁଟ ଉଚ୍ଚତା ରେ ଉଡାଜାହାଜ ଚଳାଇ ନିଜ ଅଂଚଳ ପାଇଁ ଗୌରବ ଆଣି ପାରିଛନ୍ତି । ସେ ଦିଲ୍ଲୀରେ ରାମପାଲ ଚୌକ ସ୍ଥିତ ବିନୋଦ ୟାଦବ ଆଭିନେସନ ଏକାଡେମୀରେ ପାଇଲଟ ଶିକ୍ଷାଗ୍ରହଣ କରିଥିଲେ । ବର୍ତମାନ ସପରିବାର ଦିଲ୍ଲୀର ଦ୍ୱାରକା ଅଂଚଳରେ ଅବସ୍ଥାନ କରୁଛନ୍ତି ।