Odiapua.com

ଅନ୍ୟକୁ ବାପ ଦେଖାଇ ପୈତୃକ ସମ୍ପତ୍ତି କିଣି ବିକିଦେଲେ, ନିଜ ପୁତ୍ର ବିରୋଧରେ ଆଣିଲେ ଅଭିଯୋଗ, ନିବନ୍ଧନ କାର୍ଯ୍ୟାଳୟ ଉପରେ ଆଙ୍ଗୁଳି ଉଠାଇଲେ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିବନ୍ଧନ କାର୍ଯ୍ୟାଳୟରେ ଅନ୍ୟକୁ ନିଜ ବାପ ଭାବେ ଛିଡ଼ା କରାଇଲେ। ବାପାର ସମ୍ମତି ଥିବା ଦର୍ଶାଇ ପୈତୃକ ସମ୍ପତ୍ତିକୁ କିଣିନେଲେ। ଶେଷରେ ଉକ୍ତ ସମ୍ପତ୍ତିକୁ ଅନ୍ୟ ଜଣେ ବ୍ୟକ୍ତିକୁ ବିକି ଦେଲେ। କୋଲକତାରେ ବ୍ୟବସାୟ କରି ରହୁଥିବା ବାପା ଏକଥା ଶୁଣିବା ପରେ ପ୍ରଥମେ ବିଶ୍ୱାସ କରିନଥିଲେ। କିନ୍ତୁ ନିବନ୍ଧନ କାର୍ଯ୍ୟାଳୟରୁ ଏ ସମ୍ପର୍କୀତ ସମସ୍ତ କାଗଜାତ୍ ଆଣିବା ପରେ ଘଟଣାର ସତ୍ୟତା ଥିବା ଜାଣି ଏବେ ପାଗଳପ୍ରାୟ। ଅନ୍ୟ କୌଣସି ଉପାୟ ନପାଇ ସଂପୃକ୍ତ ବ୍ୟକ୍ତି ଏବେ ସହରାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ବ୍ଳକ ନଳାଙ୍ଗ ମୌଜାରେ। ଭଦ୍ରକ ସହରାଞ୍ଚଳ ଅପର୍ତ୍ତିବିନ୍ଧା ଗ୍ରାମର ଅମୂଲ୍ୟ କୁମାର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେବା ସହ ଉକ୍ତ ଘଟଣାରେ ତାଙ୍କ ପୁତ୍ର ଅତନୁ ପାତ୍ର ମୁଖ୍ୟ ପ୍ରଛଦପଟ ନାୟକ ହୋଇଥିବାବେଳେ, କେତେକ ଓକିଲ, ମୋହରିର, ଜମି ମାଫିଆ ଓ ନିବନ୍ଧନ କାର୍ଯ୍ୟାଳୟର କିଛି କର୍ମଚାରୀ ଏହି ଜାଲିଆତି ଘଟଣାରେ ସଂମ୍ପୃକ୍ତ ବୋଲି ଅଭିଯୋଗ କରିଛନ୍ତି। ସେ ସହରାଞ୍ଚଳ ଥାନାରେ ଏସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଏତଲା ଦାଖଲ କରିବା ସହ ଉପଯୁକ୍ତ କାର୍ଯ୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଭଦ୍ରକ ବ୍ଳକ ନଳାଙ୍ଗ ମୌଜାରେ ତାଙ୍କର ୮ଏକର ଘରଡିହ ଜମି ସମେତ ମୋଟ ୧୬ ଏକର ଜମି ରହିଥିଲା। ଉକ୍ତ ମୂଲ୍ୟବାନ ଜମିକୁ ସେ ୨୦୧୪ ମସିହାରେ ପୂରଣମଲ ଅଗ୍ରୱାଲଙ୍କ ପୁତ୍ର ସଂଜୟଙ୍କ ଠାରୁ କ୍ରୟ କରିଥିଲେ। ଘରବାଡ଼ି ଜମିରେ ସେ ୧୮ଶହ ବର୍ଗଫୁଟର ଏକ କୋଠାଘର ନିର୍ମାଣ କରିଥିଲେ। କିନ୍ତୁ ସେ କୋଲକତାରେ ନିଜର ବ୍ୟବସାୟରେ ବ୍ୟସ୍ତ ଥିବା ସମୟରେ ତାଙ୍କର ପୁତ୍ର ଅତନୁ ପାତ୍ର ନିବନ୍ଧନ କାର୍ଯ୍ୟାଳୟରେ ତଞ୍ଚକତା ପୂର୍ବକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାପ ଦର୍ଶାଇ ବିକ୍ରୟ କବଲା ନିଜ ନାମରେ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଜମିକୁ ନଳାଙ୍ଗ ଗ୍ରାମର ବିନୋଦ ବେହେରାଙ୍କୁ ବିକ୍ରୟ କରି ଦେଇଛନ୍ତି। ତେବେ ବିକ୍ରୟ କବଲାରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉପସ୍ଥାପିତ କରାଯାଇଥିବାବେଳେ, ଜମି ବିକ୍ରୟ ଓ ପଞ୍ଜିକରଣ ସମୟରେ ନିବନ୍ଧନ କାର୍ଯ୍ୟାଳୟରେ ତାଙ୍କର ଜାଲ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ଼କୁ ମଧ୍ୟ ପ୍ରଦାନ କରାଯାଇଛି। ତେବେ ଯେକୌଣସି ଜମି କ୍ରୟ କିମ୍ବା ବିକ୍ରୟ ସମୟରେ ନିବନ୍ଧନ କାର୍ଯ୍ୟାଳୟ ପକ୍ଷରୁ ବହୁ ସତର୍କତା ଅବଲମ୍ବନ କରାଯାଇଥାଏ। କିନ୍ତୁ ଏକ୍ଷେତ୍ରରେ ତାହା କରାଯାଇ ନାହିଁ। ଏହି ଜମି ଜାଲିଆତି ଘଟଣାରେ ସଂପୃକ୍ତ ତାଙ୍କ ପୁତ୍ର ଅତନୁଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଶ୍ରୀ ପାତ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନନ ଦାବି କରିବା ସହ ବିକ୍ରୟ କବଲାକୁ ରଦ୍ଧ କରିବାକୁ ଦାବି କରିଛନ୍ତି।