Odiapua.com

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର କଳାକାର ଗୋପାଳ ମଲ୍ଲିକ ନିରବୀ ଗଲେ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ଏକ ସର୍ବ ପୁରାତନ ଐତିହ୍ୟ ସଂପନ୍ନ ଅନ୍ନପୂର୍ଣ୍ଣା ରଂଗମଂଚ ଦ୍ୱାରା ପରିବେଶିତ ଅଜସ୍ର ନାଟକରେ ଗ୍ରାମାଞ୍ଚଳ ଥିଏଟର ମଂଚରେ ଦକ୍ଷତାର ସହିତ ଅଭିନୟ କରିଥିବା ପ୍ରବୀଣ କଳାକାର ଗୋପାଳ ମଲ୍ଲିକଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଭଦ୍ରକ ସହର ସଂଲଗ୍ନ କଲେଇ ଗ୍ରାମପଞ୍ଚାୟତ କଣ୍ଟାପଡା ଗ୍ରାମରେ ଜନ୍ମିତ ସ୍ୱର୍ଗତଃ ମଲ୍ଲିକ ଅନ୍ନପୂର୍ଣ୍ଣାର କଂସା କବାଟ, ବାଡୁଅ ଝିଅ, ପର କଲମ, ସ୍ୱର୍ଣ୍ଣ ପଂଜରୀ, ତୁଳା କନିଆ, କୁଳ ଚନ୍ଦ୍ରମା, ଶେଷ ଶ୍ରାବଣ ଭଳି ବହୁ ସଫଳ ନାଟକରେ ଅଭିନୟ କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ତାଙ୍କର ନାଟ୍ୟ ଜୀବନ ଆର୍ଥିକ ଅନାଟନରେ ଦୁର୍ବିସହ ହୋଇପଡିଥିଲା । ଶେଷଜୀବନରେ ୨୦୧୮ ମସିହାରୁ ରାଜ୍ୟ ସରକାରଙ୍କ କଳାକାର ସହାୟତା ଯୋଜନାର କଳାକାର ଭତ୍ତା ପାଉଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଜିଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କଲେଇ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକ, ତାପସ ରାୟ, ନିର୍ମଳ ରାଉତ, କଳା ନିର୍ଦ୍ଦେଶକ ବାବୁ ନିରନ, କବି ସଂଯୁକ୍ତା ବଳ, ଜିଲା ଲେଖକ ସାମ୍ମୁଖ୍ୟର ସଂପାଦକ ନିହାର ରଂଜନ କର, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, କଳାକାର କାଳନ୍ଦୀ ମଲ୍ଲିକ, ବିକ୍ରମ କୁଅଁର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ମର ଶରୀର ନିକଟରେ ଭବାନୀଶଙ୍କର ମହାନ୍ତି, ନିରାକାର ଜେନା, କିଶୋର କୁଅଁର, ରଘୁନାଥ ପୁହାଣ ଓ ଜ୍ୱାଇଁ ଗଗନ ବିହାରୀ ଜେନା, ଝିଅ ତପସ୍ୱିନୀଙ୍କ ସମେତ ପଂଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।