Odiapua.com

ଅନ୍ନପୂର୍ଣ୍ଣା ମହାରଣାଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀ, ନିଷ୍ପେସିତ ମହିଳାଙ୍କ ପାଇଁ ଅନ୍ନପୂର୍ଣ୍ଣା ଥିଲେ ସାହାରା – ତୁଳସୀ ମୁଣ୍ଡା

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣା ମହାରଣାଙ୍କ ୧୦ମ ଶ୍ରାଦ୍ଧ ଉତ୍ସବ ପାଳନ କରାଯିବା ସହିତ ନିଶା ନିବାରଣ, ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ବିଷୟରେ ଏକ ଆଲୋଚନାଚକ୍ର ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲାର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ସର୍ବ ପ୍ରଥମେ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ମାନେ ଭଜନ ଗାନ କରିଥିଲେ। ତାପରେ ଗାନ୍ଧୀ ବାଳାଶ୍ରମର ପିଲାମାନେ ଉତ୍କଳ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ରମେଶ ଦାସ ସଭାର ଉଦେଶ୍ୟ ଜ୍ଞାପନ କରିଥଲେ। ଶିକ୍ଷାବିତ ଶାନ୍ତନୁ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍କଳ ସର୍ବୋଦୟ ମଣ୍ଡଳ ଓଡ଼ିଶା ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ସର୍ବୋଦୟ ମଣ୍ଡଳର ଉଦ୍ଦେଶ୍ୟ, ଇତିହାସ ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଇନ୍ଦୁ ଅପା ଓ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଓ ଅଧିକ୍ଷକ ହୃଷୀକେଶ ମହାନ୍ତି ଓ ଦେବୀକିଙ୍କର ପାଣିଗ୍ରାହୀ ସହଯୋଗ କରିଥିଲେ। ଡାକ୍ତର ପ୍ରଦୀପ ନାୟକ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ନାରୀନେତ୍ରୀ ଅମିତା ଆଚାର୍ଯ୍ୟ, ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ମହାପାତ୍ର, ନିଶା ନିବାରଣ ଓଡ଼ିଶାର ଉପସଭାପତି ଖଗେଶ୍ୱର ବଳ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶତାଧିକ ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଅନ୍ନପୂର୍ଣ୍ଣା ଦେବୀଙ୍କ ତ୍ୟାଗ ଓ ବଳିଦାନରର ପଟାନ୍ତର ନାହିଁ। ଅନ୍ନପୂର୍ଣ୍ଣା ମହାରଣାଙ୍କ ପରି ସମାଜସେବୀ ଆଜି ବିରଳ। ସମାଜର ନିଷ୍ପେସିତ ଅବହେଳିତ ମହିଳା ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ସେ ଆଜି ଚିର ବନ୍ଦିତା। ସମାଜର କୁସଂସ୍କାର, ଅସ୍ପୃଶ୍ୟତା ବିରୋଧରେ ଆନ୍ଦୋଳନ କରିଥିଲେ।

ମାତ୍ର ୧୩ ବର୍ଷ ବୟସରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୩୨ ମସିହାରେ ୧୫ ବର୍ଷ ବୟସରେ ଜେଲ ଦଣ୍ଡ ପାଇଥିଲେ। ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହିତ ପଦଯାତ୍ରାରେ ଭାଗ ନେଇଥିଲେ ଓ ପୁରୀରୁ ଭଦ୍ରକ ହରିଜନ କଲ୍ୟାଣ ପଦଯାତ୍ରା ଉଲ୍ଳେଖ ଯୋଗ୍ୟ।୧୯୪୨ ଭାରତ ଛାଡ଼ ଆନ୍ଦୋଳନ, କୁଜଙ୍ଗରେ ଲବଣ ସତ୍ୟାଗ୍ରହ ପାଇଁ କଟକ ଓ ଯାଜପୁର ଜେଲ୍‌ରେ ୨ ବର୍ଷ ୩ ମାସ ଜେଲ ଦଣ୍ଡ ଭୋଗିଥିଲେ। ୧୯୫୮ ରେ ଅନ୍ନପୂର୍ଣ୍ଣା ମହାରଣାଙ୍କର ସନ୍ଥ ବିନୋବା ଭାବେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସର୍ବୋଦୟ ଆନଦୋଳନରେ ଯୋଗଦାନ ତତ୍ ପରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସହିତ ମିଶି କାର୍ଯ୍ୟ ଆରମ୍ଭ ଚମ୍ବଲ୍ ଉପତ୍ୟକାରେ ଦସ୍ୟୁ ହୃଦୟରେ ଦେବତା ସୃଷ୍ଟି କରିବାରେ ମୁଖ୍ୟ ଭମିକା ନିର୍ବାହ କରିଥିଲେ।୧୯୬୬ ମସିହାରେ କଳାହାଣ୍ଡି ଜିଲ୍ଲାରେ ଦୁର୍ଭିକ୍ଷ, ୧୯୬୯ ମସିହାରେ ବନ୍ୟା ପ୍ରଳୟରେ ସେବା, ୧୯୯୯ ମସିହାରେ ସର୍ବୋଦୟ ମଣ୍ଡଳ ତରଫରୁ ରିଲିଫ ପ୍ରଦାନ ଫଳରେ ହଜାର ହଜାର ଲୋକଙ୍କ ଜୀବନରକ୍ଷା ହେବା ଏବେ ବି ସ୍ମରଣୀୟ।୧୯୭୨ ବଙ୍ଗଳାଦେଶ ପାକିସ୍ଥାନ ଯୁଦ୍ଧରେ ଶାନ୍ତି ସେନା ରେ ସେବା ଓ ଶୁଶ୍ରୁଷା ଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଯନ୍ତ୍ରଣା ଉପଶମ ହୋଇଥିଲା। ସେବା ଓ ପ୍ରେରଣା ର ବଳିଷ୍ଠ ଅବଦାନ ଯାହା ଉତ୍ତର ପିଢ଼ି ଙ୍କୁ ପ୍ରେରଣା ଯୋଗାଇବ ବୋଲି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବିତା ପରିଡ଼ା, ସଭାପତି ଅମର କୁମାର ପାଣିଗ୍ରାହୀ, ଅଧିବକ୍ତା ନିରାକାର ଜେନା, ଡାକ୍ତର ହରେକୃଷ୍ଣ ନାୟକ, ସମାଜ ସେବୀ ଶାନ୍ତି ନାଗ, ନିଶା ନିବାରଣ ଓଡ଼ିଶା ପାଇଁ ଏକାନ୍ତ ଆବଶ୍ୟକ ଓ କିପରି ଛାତ୍ର ସମାଜ କୁ କଳୁଷିତ କରୁଛି ମତାମତ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷାବିତ ଓ ଶିକ୍ଷାଧିକାରୀ ଗୟାଧର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ଅଧିବକ୍ତା ଆଦିତ୍ୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।