Odiapua.com

ଅନ୍ଧବିଶ୍ୱାସ କୁ ନେଇ ମହିଳାଙ୍କୁ ଗୁଳିମାଡ,

ବିଶୋଇ/ମୟୂରଭଞ୍ଜ ୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉନି ଅନ୍ଧବିଶ୍ୱାସ ଜନିତ ଆକ୍ରମଣ ଓ ହତ୍ୟା ଭଳି ଘଟଣା। ଗୁଣି ଗାରେଡ଼ିକୁ ସନ୍ଦେହ ରାତି ଅଧରେ ଚାଳ ଛପର ଘର ଫାଙ୍କରେ ମହିଳାଙ୍କୁ ଗୁଳି। ଏପରି ଘଟଣା ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ଷେ ତଳେ ବିଶୋଇ ଥାନା “ତଲଖବଦି” ଗାଁର ଗୋବିନ୍ଦ ହେମ୍ୱ୍ରମଙ୍କ ଭାଇ ରୁପାୟଙ୍କ ପୁଅ ଠାକୁର(୧୭)ର ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଗୁଣିଗାରେଡି କରିଥିବାରୁ ଠାକୁରର ମୃତ୍ୟୁ ହୋଇଥିବା ସବୁବେଳେ ସନ୍ଦେହ କରୁଥିଲେ ରୁପାୟ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟ ପାଟିତୁଣ୍ଡ ହେଉଥିଲା। ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ରୁପାୟ ମାଝୀ। ଶନିବାର ରାତିରେ ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଖାଇପିଇ ଘରେ ଶୋଇଥିଲେ। ଏହି ସମୟରେ ରୁପାୟ ମାଝି ଚାଳ ଛପର ଫାଙ୍କରେ ଏକ ପିସ୍ତଲରେ ଫାୟାରିଂ କରିଥିଲେ। ଫଳରେ ଗୁଳି ମାଇନ୍‌ଙ୍କ ମୁଣ୍ଡରେ ବାଜିଥିଲା। ଏହା ପରେ ପୂରା ପରିବାର ଉଠି ପଡ଼ିଥିଲେ। ହୋ-ହଲ୍ଲା ଶୁଣି ସାହି ପଡ଼ିଶା ଉଠିପଡ଼ି ରୁପାୟକୁ କାବୁ କରିନେଇ ଥିଲେ। ଏପରିକି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ବିଶୋଇ ପୁଲିସ ଏହି ମାମଲାରେ ରୁପାୟକୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ସକାଳେ ମାଇନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ସୋମବାର ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ ବିଭିନ୍ନ ସ୍ତରରେ ଦବାଇ ଦେବାକୁ ଉଦ୍ୟମ ହେଉଥିବା ବେଳେ ଗତକାଲି ଏହା ସର୍ବସମ୍ମୁଖରେ ଉଜାଗର ହୋଇଛି। ତେବେ ଏହି ଡାହାଣୀ ସନ୍ଦେହରେ ବନ୍ଧୁକରୁ ଗୁଳିମାଡ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।