Odiapua.com

ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ- ଭାରତୀୟ ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର

??????

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର ହେଉଛି ଯୋଗ। ଯୋଗ ଭାରତୀୟଙ୍କ ଆଧ୍ୟାତ୍ମିକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟରକ୍ଷା ଦିଗରେ ଯୋଗହିଁ ବିଶ୍ୱକୁ ଦେଇ ଆସିଛି ପ୍ରଭାବଶାଳୀ ଦିଗଦର୍ଶନ। ଭାରତ ମାଟିରେ ବହୁ ଯୋଗଗୁରୁଙ୍କର ଆବିର୍ଭାବ ଘଟିଛି ଏବଂ ଯୋଗକୁ ବିଶ୍ୱବ୍ୟାପୀ ପ୍ରସାର କରିବା ଦିଗରେ ସେମାନଙ୍କର ଅବଦାନ ଅତୁଳନୀୟ। କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ବଢ଼ି ଚାଲିଛି ଯୋଗର ଚାହିଦା ଓ ଆଦର। ଯୋଗର ଏହି ଉପାଦେୟତାକୁ ଉପଲବ୍ଧି କରି ତାହାର ବ୍ୟାପକ ପ୍ରସାର ଦିଗରେ ଏବେ ତତ୍ପର ହୋଇ ଉଠିଛି ମିଳିତ ଜାତିସଂଘ। ଏହି କ୍ରମରେ ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗଦିବସ ରୂପେ ପାଳନ କରାଯାଉଛି ବୋଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ଯୋଗଦେଇ ଯୋଗଗୁରୁ ମାନେ ପରିପ୍ରକାଶ କରିଛନ୍ତି। ଯୋଗପରିବାର ଭଦ୍ରକ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଯୋଗଗୁରୁ କେଦାର ନାଥ ଗୁପ୍ତାଙ୍କ ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଗୁରୁ ମାନସ ରଂଜନ ଜେନା ଓ ବକ୍ତା ଭାବେ ସୁବୋଧ କୁମାର ସାହୁ ଯୋଗଦେଇ ଯୋଗାଭ୍ୟାସ କରିବା ସହିତ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଯୋଗପରିବାରର ସଦସ୍ୟ ମାନଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଯୋଗାଭ୍ୟାସ କରିବା ସହିତ ଯୋଗଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସ୍ନେହଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।