Odiapua.com

ଅନୁମୋଦିତ ଜମିରେ ପ୍ରକଳ୍ପ ନାହିଁ, ପୈଠ ବିଲକୁ ଫେରସ୍ତ ପାଇଁ ଅଭିଯୋଗ

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଲଣା ଗ୍ରାମରେ ପ୍ରକଳ୍ପ କାର୍ଯ୍ୟକାରି ନକରି ବିଲ ଉଠାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ‘ଆଦିବାସୀ ସାହି ପାଖ ପୋଖରୀ ଖନନ’ ପ୍ରକଳ୍ପ ଅନୁମୋଦିତ ଜମିରେ ହୋଇନାହିଁ । ମାତ୍ର ଏହାର ବିଲ ଉଠାଇ ନିଆଯାଇଛି । ପ୍ରକଳ୍ପର ପୈଠ ବିଲ୍ ଫେରସ୍ତ ପାଇଁ ଦାବି କରି ଏଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ କରାଯାଇଛି । ଏହି ଅଭିଯୋଗ ଗ୍ରାମର ବିମଳା ସାହୁ, ଦୟାନିଧି ବେହେରା, ପଦ୍ମନ ସାଥୁଆ, ସଦାନନ୍ଦ ସାମଲ, ଗୌରୀଶଙ୍କର ଲେଙ୍କା, ଧନେଶ୍ୱର ବାରିକ, ପର୍ଶୁରାମ ଲେଙ୍କା, ରଘୁନାଥ ଖୁଣ୍ଟିଆ, ଦୁର୍ଯ୍ୟୋଧନ ପରିଡା, ଅର୍ଜ୍ଜୁନ ଚରଣ ଲେଙ୍କା, ପୁଷ୍ପଲତା ବାରିକ, ହରେକୃଷ୍ଣ ସାହୁ ପ୍ରମୁଖ ମଙ୍ଗଳବାର ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା ଯୋଜନାରେ ଉକ୍ତ ପୋଖରୀ ଖନନ ନିମନ୍ତେ ଅନୁସୟା ମାଝୀଙ୍କୁ ଗତ ୨୦୨୨ ମସିହା ମଇ ମାସରେ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏଥିପାଇଁ ବିଡିଓଙ୍କ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା । ଆଦିବାସୀ ସାହିରେ ପ୍ରକଳ୍ପ ପାଇଁ ଉପଯୁକ୍ତ ଜମିର ଅଭାବ ରହିଛି, ତେଣୁ ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରସ୍ତାବ କ୍ରମେ କୁଲଣା ମୌଜାର ରକ୍ଷିତ ୪୬୦ ଖାତା ଅନ୍ତର୍ଗତ ୧୦୨୫ ଖସଡାର ୬୦ ଡେସିମିଲ ଉନ୍ନତ ଯୋଜନା ଯୋଗ୍ୟ ଜମି ଅନୁମୋଦନ କରାଗଲା ବୋଲି ତହସିଲଦାର ଫିଜିବିଲିଟି ଦେଇଥିଲେ । ମାତ୍ର ପ୍ରକଳ୍ପ ଅନୁମୋଦିତ ଜମିରେ କାର୍ଯ୍ୟକାରୀ ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ପ୍ରକଳ୍ପର ବିଲ ମଧ୍ୟ ଉଠାଇ ନିଆଯାଇଛି । ତେଣୁ ଉପଯୁକ୍ତ ତଦନ୍ତ କରାଯାଇ ପୈଠ ଅର୍ଥ ଅସୁଲ କରାଯାଉ ବୋଲି ଅଭିଯୋଗକାରୀମାନେ ଦାବି କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ହୋଇଥିବା ତଥ୍ୟରୁ ଏହା ଜଣାପଡିଥିଲା । ଅନ୍ୟ ପକ୍ଷରେ ଏହି ଅଭିଯୋଗ ପୁରୁଣା । ପ୍ରକଳ୍ପ ଅନୁମୋଦିତ ଜମିରେ କାର୍ଯ୍ୟକାରୀ ହୋଇଛି ବୋଲି ଅନୁସୂୟା ମାଝୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଅନୁଧ୍ୟାନ କରି ମତାମତ ଦେବେ ବୋଲି ବିଡିଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।