Odiapua.com

ଅନୁବାଦ ଏକ କଳା, ଯାହା ଭାବକୁ ଅକ୍ଷୁର୍ଣ୍ଣ ରଖି ଭାଷାନ୍ତର ହୋଇଥାଏ, ସଦାଶିବ ନାୟକଙ୍କ ଅନୁବାଦ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନୁବାଦ କରିବା ଏକ କଳା । ସମସ୍ତେ ବାସ୍ତବ ଅନୁବାଦ କରିବା ସମ୍ଭବ ନୁହେଁ । ମୂଳ ଲେଖକଙ୍କାବଧାରାକୁ ଅକ୍ଷୁଣ୍ଣ ରଖି ଅନୁବାଦ କରି ପାରିଲେ ତାହା ପ୍ରକୃତ ଅନୁବାଦ ହୋଇଥାଏ । ପାଠକ ଅନୁବାଦକଙ୍କୁ ଭୁଲି ମୂଳ ଲେଖକୀୟରେ ତନ୍ମୟ ହେବା ପ୍ରକୃତ ଅନୁବାଦ ବୋଲି ଆଜି ଆର.କେ. ନାରାୟଣଙ୍କ ମୂଳ ପୁସ୍ତକ ‘ଅଣ୍ଡର ଦି ବାନିୟନ ଟ୍ରିି ଆଣ୍ଡ ଅଦର ଷ୍ଟୋରିଜ୍‌’ ପୁସ୍ତକର ସେବାନିବୃତ୍ତ ଶିକ୍ଷା ମଣ୍ଡଳାଧୀଶ ସଦାଶିବ ନାୟକଙ୍କ ଅନୁବାଦ ପୁସ୍ତକ ‘ବଟବୃକ୍ଷର ତଳେ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଉତ୍ସବରେ ଯଶସ୍ୱୀ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପୌରୋହିତ୍ୟ କରିଥିଲେ । ପତ୍ରକାର ତପନ କୁମାର ମିଶ୍ର ଅତିଥିଙ୍କୁ ମଞ୍ଚ ଆହ୍ୱନ ସହ ପରିଚୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକର ମୁଖବନ୍ଧ ଲେଖିଥିବା ପ୍ରାଧ୍ୟାପକ ଡଃ ବ୍ରଜମୋହନ ମିଶ୍ର ଶ୍ରୀଯୁକ୍ତ ନାୟକଙ୍କ ଦ୍ୱାରା ଆର୍‌. କେ. ନାରାୟଣଙ୍କ ପୁସ୍ତକରେ ଥିବା ୨୮ ଗଳ୍ପକୁ ମର୍ଯ୍ୟାଦାର ସହ ଅନୁବାଦ କରି ଅନୁବାଦ ସାହିତ୍ୟର ଦକ୍ଷତା ପ୍ରତିପାଦନ କରିଥିବା ପ୍ରକାଶ କରିଥିଲେ ।

ବରେଣ୍ୟ ଅତିଥି କଥାକାର ରଜନୀକାନ୍ତ ମହାନ୍ତି ଅନୁବାଦ ଏଭଳି ଏକ ସାହିତ୍ୟ ଯାହାର ପ୍ରାରମ୍ଭ ମାଆଠାରୁ ହିଁ ହୋଇଥାଏ । ମାଆ ହେଉଛି ପ୍ରକୃତ ଅନୁବାଦକ ବୋଲି ତାଙ୍କ ବକ୍ତବ୍ୟରେ ପ୍ରମାଣ କରିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ଚରମ୍ପା ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପିକା ଡଃ ସୁକାନ୍ତି ମହାପାତ୍ର ଆର୍‌.କେ. ନାରାୟଣଙ୍କ ଜୀବନୀ ଏବଂ ତାଙ୍କ ସାହିତ୍ୟ କୃତି ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଅନ୍ୟତମ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଓ ଅନୁବାଦ ସାହିତ୍ୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଉପସ୍ଥାପନ କରିଥିଲେ । ସଭାର ପ୍ରାରମ୍ଭରେ ଅନୁବାଦକ ଶ୍ରୀଯୁକ୍ତ ନାୟକଙ୍କ ଦୁଇପୁତ୍ର ସୁବ୍ରତ ନାୟକ ଓ ସତ୍ୟବ୍ରତ ନାୟକ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସଭାପତି ଶ୍ରୀଯୁକ୍ତ ଦ୍ୱିବେଦୀ ସଦାଶିବ ନାୟକ ପରିଣତ ବୟସରେ ସାହିତ୍ୟାନୁରାଗୀ ହୋଇ ପୁସ୍ତକ ଅନୁବାଦ କରି ପାରୁଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଶେଷରେ କନିଷ୍ଠପୁତ୍ର ସତ୍ୟବ୍ରତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସାହିତ୍ୟିକ, ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ ।