Odiapua.com

ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଶିଶୁ ଶ୍ରମିକ : ଆରମ୍ଭ ହୋଇନି ଚିହ୍ନଟ ପ୍ରକ୍ରିୟା, ସୁରକ୍ଷାକୁ ନେଇ ପ୍ର୍‌ଶ୍ନବାଚୀ, ଉଦ୍ଧାର ପରେ ଥଇଥାନ ନାହିଁ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଲକ୍‌ଡାଉନ କଟକଣା ଉଠିଯିବା ପରେ ସାମୟିକ ଭାବେ ଦେଖିବାକୁ ମିଳୁନଥିବା ଶିଶୁ ଶ୍ରମିକଙ୍କୁ ପୁଣି ଏବେ ବିଭିନ୍ନ ନିର୍ମାଣସ୍ଥଳରେ ଦେଖିବାକୁ ମିଳିଲାଣି । ସଚେତନତାର ଅଭାବ ଓ ପରିବାରର ଆର୍ଥୀକ ଅନାଟନ ଯୋଗୁଁ ବାପା ଓ ମା’ଙ୍କ ଜ୍ଞାତସାରରେ ଶିଶୁମାନେ ପାଠ ପଢ଼ା ଛାଡ଼ି ଶ୍ରମିକ ସାଜୁଛନ୍ତି । ତେବେ ଶିଶୁ ଶ୍ରମିକ ପରି ଏକ ଘୃଣ୍ୟ ପ୍ରଥାର ବିଲୋପ ଦିଗରେ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଛାସେବୀ ସଂଗଠନମାନଙ୍କର ବିଶେଷ ଭୂମିକା ଥିବା ସତ୍ତ୍ୱେ ସେମାନଙ୍କ ଠାରେ ଆନ୍ତରିକତା ଦେଖିବାକୁ ମିଳୁ ନାହିଁ । ଏହାବ୍ୟତୀତ କେତେକ ଅଧିକାରୀ ଶିଶୁ ଶ୍ରମିକ ପ୍ରଥାର ବିଲୋପ ଦିଗରେ ଉଦ୍ୟମ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରଚଳିତ ବ୍ୟବସ୍ଥାଗତ ତ୍ରୁଟି ପାଇଁ ଏହା ସମ୍ଭବ ହୋଇ ପାରୁନି । ଶିଶୁମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟରତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି, ଶ୍ରମ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଖିବାକୁ ମିଳୁଛି । ଫଳରେ ଶିଶୁ ଶ୍ରମିକଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି । ତଥ୍ୟ ଅନୁଯାୟୀ ୨୦୦୨ ମସିହାରୁ ଆର୍ନ୍ତଜାତୀକ ଶିଶୁ ନିରୋଦ ଦିବସ ପାଳିତ ହୋଇ ଆସୁଛି । ୨୦୧୩ ମସିହାରୁ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟକ୍ଷମ ହୋଇଛି । ହେଲେ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ଚିହ୍ନଟ ପ୍ରକ୍ରିୟା ଏପର୍ଯ୍ୟନ୍ତ ସରକାରୀସ୍ତରରେ ଆରମ୍ଭ ହୋଇପାରି ନାହଁ । ତେଣୁ ବାସ୍ତବରେ ଜିଲ୍ଲାରେ କେତେ ଶିଶୁ ପାଠପଢ଼ା ଛାଡ଼ି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ନିର୍ଦ୍ଧିଷ୍ଟ ଖବର ନାହିଁ ।

ତେବେ ଏକ ବେସରକାରୀ ପରିସଂଖ୍ୟାନ ଅନୁଯାୟୀ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫ହଜାରରୁ ଉର୍ଦ୍ଧ୍ୱ । କାରଣ ଏବେ ମଧ୍ୟ ଭଦ୍ରକ ସହରର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ବିଶେଷକରି ହୋଟେଲ, ଢ଼ାବା, ଗ୍ୟାରେଜ୍‌, ଛୋଟବଡ଼ ଦୋକାନରେ ଅତ୍ୟନ୍ତ ବିବଦଜନକ ଅବସ୍ଥାରେ କାର୍ଯ୍ୟରତ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି । ଏପରିକି ବହୁ ଧନାଢ଼୍ୟ ବ୍ୟକ୍ତି ଶିଶୁମାନଙ୍କୁ ଘରୋଇ ଚାକର ଭାବେ ବ୍ୟବହାର କରି ଚାଲିଛନ୍ତି । ସକାଳ ହେଲେ ରାସ୍ତା କଡ଼ରେ ଜରି ଗୋଟାଇବା ହେଉ କିମ୍ବା ବାହାର ରାଜ୍ୟକୁ ଶିଶୁ ଦାଦନ ଖଟିବାକୁ ଯିବା ସମୟରେ ରେଳବାଇ ପୁଲିସ ଦ୍ୱାରା ଘଟଣା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ଅପସେନ ‘ମୁସ୍କାନ’ର ତିନିଟି ପର୍ଯ୍ୟୟ ଓ ‘ପରୀ’ର ଦୁଇଟି ପର୍ଯ୍ୟୟରେ ମୋଟ ୭ଶହରୁ ଉର୍ଦ୍ଧ୍ୱ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଶାସନର ଅପରେସନ ମୁସ୍କାନ ଓ ପରୀ କାର୍ଯ୍ୟକ୍ରମ ସମ୍ପର୍କୀତ ଖବର ପାଇ ଶିଶୁ ଶ୍ରମିକମାନଙ୍କୁ କିଛି ଦିନ ପାଇଁ ଗାଏବ କରି ଦିଆଯାଇଥିଲା । ଫଳରେ ଅପରେସନ ମୁସ୍କାନ ଓ ପରୀକୁ ସେପରି ସଫଳତା ମିଳିନଥିଲା । ତେବେ ବିଭିନ୍ନ ସମୟରେ ଚାଇଲ୍ଡଲାଇନ, ଶିଶୁ ସୁରକ୍ଷା ୟୁନିଟ ଓ ସରକାରୀ କାର୍ଯ୍ୟକ୍ରମ ଦ୍ୱାରା ଉଦ୍ଧାର କରାଯାଉଥିବା ଶିଶୁମାନଙ୍କ ପାଠ ପଢ଼ାଇବା କିମ୍ବା ଥଇଥାନ ଦିଗରେ ସରକାରଙ୍କ କୌଣସି ନିର୍ଦ୍ଧିଷ୍ଟ ଯୋଜନା ନାହିଁ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଶିଶୁ ଶ୍ରମିକ ବିଲୋପ ଦିଗରେ କେବଳ ଶିଶୁ ସୁରକ୍ଷା ୟୁନିଟ ନୁହେଁ ବରଂ ଶିଶୁ ମଙ୍ଗଳ କମିଟି, ସର୍ବଶିକ୍ଷା ଅଭିଯାନ, ଶ୍ରମ ଓ ପୁଲିସ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ । ସବୁକିଛି ଚାଲିଛି କାଗଜପତ୍ରରେ । ଏହାବ୍ୟତୀତ ଯେଉଁ ସ୍ଥାନରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି, ସେମସ୍ତ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକମାନଙ୍କ ବିରୋଧରେ କୌଣସି ନିର୍ଦ୍ଧିଷ୍ଟ ଆଭିମୁଖ୍ୟ ମଧ୍ୟ ଶ୍ରମ ବିଭାଗର ନାହିଁ । ଯଦି ଶ୍ରମ ବିଭାଗ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ଓ ଉଦ୍ଧାର ଶିଶୁଙ୍କୁ ଥଇଥାନ କରି ପାରନ୍ତା ତେବେ ଏହି ପ୍ରଥାର ବିଲୋପ ଘଟି ପାରନ୍ତା ବୋଲି ଶିଶୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବହୁ ସ୍ୱେଛାସେବୀ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଶ୍ରମ ବିଭାଗରେ ରୁଜ୍ଜୁ ହୋଇଥିବା ମାମଲା ସଂଖ୍ୟା ଦୁଇ ଅଙ୍କ ଛୁଇଁ ପାରି ନାହିଁ ।