Odiapua.com

ଅନିଶ୍ଚିତତା ମଧ୍ୟରେ ଚରମ୍ପା ଫ୍ଲାଏ ଓଭର ଆପ୍ରୋଚ ରୋଡ଼, ଜମି ଅଧିଗ୍ରହଣ ପାଖରେ ଅଟକିଛି ନିର୍ମାଣ କାର୍ଯ୍ୟ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ବର୍ଷ ଧରି ଉତ୍କଟ ଟ୍ରାଫିକ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି ଭଦ୍ରକ ଚରମ୍ପାବାସୀ । ଚରମ୍ପା ଅଞ୍ଚଳର ୪ଟି ପୌର ୱାର୍ଡ଼, ଭଦ୍ରକ ବିଧାନସଭା କ୍ଷେତ୍ରର ୧୦ରୁ ଅଧିକ ପଞ୍ଚାୟତ ଓ ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳର ଲକ୍ଷାଧିକ ଜନସାଧାରଣ ଏହି ଉତ୍କଟ ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି । କାରଣ ଚରମ୍ପା ରେଲୱେ ଷ୍ଟେସନର ଦକ୍ଷୀଣ ପାଶ୍ୱର୍ରେ ଥିବା ଲେବୁଲ କ୍ରସିଂ ନିକଟରେ, ରେଳ ବିଭାଗ ପକ୍ଷରୁ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବାବେଳେ, ଜମି ସମସ୍ୟା ପାଇଁ ଅଟକି ରହିଛି ଆପ୍ରୋଚ ରୋଡ଼ । ଏବେ ରେଲୱେ ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଆପ୍ରୋଚ ରୋଡ଼ କାର୍ଯ୍ୟ ଯେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଯିବ ତ।।ହାର କୌଣସି ନିଶ୍‌ୁିତତା ନାହିଁ । ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ । କିନ୍ତୁ ଏଦିଗରେ ପାଦ ଟିଏ ଆଗେଇ ନାହିଁ ପୂର୍ତ୍ତ ବିଭାଗ । ଉକ୍ତ ଫ୍ଲାଏ ଓଭର ଓ ଆପ୍ରୋଚ ରୋଡ଼ କାର୍ଯ୍ୟ ପାଇଁ ବାରମ୍ବାର ସାଲିଶ ବିହୀନ ଆନ୍ଦୋଳନ କରି ରେଳ ଓ ପୂର୍ତ୍ତ ବିଭାଗକୁ ଅସ୍ତବ୍ୟସ୍ତ କରି ପକାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରେନ ପଲାଇ । ଶେଷରେ ଉକ୍ତ ଦୁଇ ପ୍ରକଳ୍ପ ପାଇଁ ସବୁଜ ସଂକେତ ମିଳିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପୂର୍ତ୍ତ ବିଭାଗ ଉଦାସୀନତା ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିବାରୁ ଶ୍ରୀ ପଲାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆବଶ୍ୟକ ପଡ଼ିଲେ ପୁଣି ସେ ଏଦିଗରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି । ଚରମ୍ପା ଦକ୍ଷୀଣ ପାଶ୍ୱର୍ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଫ୍ଲାଏ ଓଭର କାର୍ଯ୍ୟ ବିଳମ୍ବରେ ହେଲେ ମଧ୍ୟ ଆଗେଇ ଚାଲିଛି । କିନ୍ତୁ ଆପ୍ରୋଚରୋଡ଼ ଜମି ସମସ୍ୟା ପାଇଁ ଅଟକିଛି । ୧୬ ନମ୍ବର ଜାତୀୟ ରାଜପଥ ପୁରୁଣାହନୁମାନ ମନ୍ଦିର ଠାରୁ ଗୁଣଣ୍ଠୁଣିଆ ବଜାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଫ୍ଲାଏ ଓଭର ଓ ଆପ୍ରୋଚ ରୋଡ଼ର ମୋଟ ଲମ୍ବ ହେଉଛି ୨.୨ କିଲୋମିଟର । ରେଳବାଇ ଜମିକୁ ଛାଡ଼ି ଆହୁରି ୪.୫୩ ଏକର ଜମି ଉକ୍ତ ରୋଡ଼ ପାଇଁ ଦରକାର । ଯାହାକି ୬୫ଜଣ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମାଲିକାନଦାରେ ରହିଛି । ଉପରୋକ୍ତ ଜମିର ମୂଲ୍ୟ ସରକାରୀ ବେଞ୍ଚମାର୍କ ଅନୁଯାୟୀ ୧୦ କୋଟି ଟଙ୍କା ହେବ । ତେଣୁ ଉକ୍ତ ଜମିକୁ ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଅଧିଗ୍ରହଣ କରିବାକୁ ପଡ଼ିବ । ଉକ୍ତ ସରକାରୀ ମୂଲ୍ୟକୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଜମି ମାଲିକ ମାନିବେକି ନାହିଁ ତାହା ପଛ କଥା । କିନ୍ତୁ ଏପର୍ଯ୍ୟନ୍ତ ଏଦିଗରେ କୌଣସି ଉଦ୍ୟମ ଆରମ୍ଭ ହୋଇ ନାହିଁ । ତେବେ ଉକ୍ତ ଆପ୍ରୋଚ ରୋଡ଼ ପାଇଁ ୭୦କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ଚିଠା ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ପଠାଯାଇଛି । ଆର୍ଥୀକ ମଞ୍ଜୁରୀ ମିଳିବା ପରେ ଉକ୍ତ ଆପ୍ରୋଚ ରୋଡ଼ କାର୍ଯ୍ୟ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି । ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଫ୍ଲାଏ ଓଭରବ୍ରିଜ କାର୍ଯ୍ୟକ୍ଷମ ହେଲେ ଏହା ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନର ମାଧ୍ୟମ ହେବା ସହିତ ଚରମ୍ପା ବଜାର ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି କୁହାଯାଉଛି ।