Odiapua.com

ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ଦୁଇ ଅତିରିକ୍ତ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୧ା୮ (ଓଡ଼ିଆ ପୁଅ) : ରାଜକନିକାର ଖରସ୍ରୋତା ନଦୀରେ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗରାପୁର ଡାକବଙ୍ଗଳାଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅନସନ କରି ଅସୁସ୍ଥ ହୋଇଥିବା ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ(ପ୍ରଶାସନ) ଓ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା (ରାଜସ୍ୱ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କୁ ନିର୍ଦେଶ ଦେଇଛନ୍ତି ଯେପରି ଶ୍ରୀକାନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀକାନ୍ତଙ୍କ ସ୍ୱାସ୍ଥାବସ୍ଥା ବୁଝୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ଦେଉଛନ୍ତି। ଶ୍ରୀକାନ୍ତଙ୍କ ସ୍ୱାସ୍ଥାବସ୍ଥା ସି୍ଥର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଶ୍ରୀକାନ୍ତଙ୍କ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରେ ସେ କହିଥିଲେ ଯେ ଖରସ୍ରୋତା ନଦୀରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବା ନେଇ ୨୦୨୦ମସିହା ଡିସେମ୍ବର ୧୫ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ପ୍ରକଳ୍ପ ହେଲେ ପରିବେଶ ଉପରେ ଓ ଜନସମାଜ ଉପରେ କ’ଣ ପ୍ରଭାବ ପଡିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ, ଗ୍ରାମୀଣ ପାନୀୟ ଜଳ ବିଭାଗ, ବୈଜ୍ଞାନିକ କମିଟି, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିି ଉଚ୍ଚସ୍ତରୀୟ କମିଟି ଏଠାରେ ପ୍ରକଳ୍ପ ହେବା ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏହାପରେ ଜାତୀୟ ଗ୍ରୀନ ଟ୍ରିବୁନାଲରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ସେହି ମାମଲାକୁ ଟ୍ରିବୁନାଲ ଖାରଜ କରି ଦେଇଥିଲେ। ପ୍ରକଳ୍ପ ହେଲେ ଭିତରକନିକାର ଜୈବ ବିବିଦ୍ଧତ୍ତା ଉପରେ ପ୍ରଭାବ ପଡିବ ବୋଲି ଯେଉଁ ଅଭିଯୋଗ କରାଯାଇଥିଲା ତାହା ଖାରଜ ହୋଇ ଯାଇଥିଲା। କାରଣ ପ୍ରକଳ୍ପ ଯେଉଁ ସ୍ଥାନରେ ହେବ ତାହା ଭିତରକନିକା ଅଭୟାରଣ୍ୟ ଠାରୁ ଦୂରରେ ରହିବ। ତେଣୁ ଟ୍ରିବୁନାଲରେ ଅଭିଯୋଗ ଖାରଜ ହୋଇଯାଇଥିଲା। ଏହାପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ଏବେ ବରୁଣାଡିହରେ ପ୍ରକଳ୍ପ ପାଇଁ ଏକ କୂପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ବିରୋଧ କରି ଏକ ସ୍ୱେଛାସେବୀ ଅନୁଷ୍ଠାନ “ସମ୍ଭାବନା”ର କର୍ମକର୍ତ୍ତା ଶ୍ରୀକାନ୍ତ ନାୟକ ଅନଶନରେ ବସିଥିଲେ। ଅନଶନରେ ବସିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପଡିଲା। ତେଣୁ ତାଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି। ତାଙ୍କ ସହ ଆଲୋଚନା ପାଇଁ ଆସନ୍ତା ୨୪ ତାରିଖରେ ଦିନ ଧ୍ୟାର୍ଯ୍ୟ କରାଯାଇଛି। ସେ ଯାହା ଅଭିଯୋଗ କରିଛନ୍ତି ତାହାର ରିପୋର୍ଟ ଆଣନ୍ତୁ ଓ ଆଇଆଇଟି ହାଇଦ୍ରାବାଦ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ଉପରେ ମଧ୍ୟ ତାଙ୍କ ସହ ପ୍ରଶାସନ ଆଲୋଚନା କରିବ। ଏହି ସମୟରେ ରାଜନଗର ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ। ଆବଶ୍ୟକ ପଡିଲେ ମୁଁ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିବି ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଶ୍ରୀକାନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯିବ ନାହିଁ। ତାଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ତାହା ବିନା ମୂଲ୍ୟରେ ଯୋଗାଇ ଦିଆଯିବ।