Odiapua.com

ଅନଲାଇନ ପାଠପଢ଼ାରେ ଏବେ ନେଟୱାର୍କ ମୁଖ୍ୟ ସମସ୍ୟା, ବିଏସଏନଏଲ ନିମ୍ନ ସେବାରୁ ଫାଇଦା ନେଉଛନ୍ତି ଘରୋଇ କମ୍ପାନୀ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଆଜି ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେବେ ଏଗୁଡ଼ିକ ଖୋଲିବ, ତାହାର ମଧ୍ୟ କୌଣସି ନିଶ୍ଚିତତା ନାହିଁ । ତେଣୁ ପାଠ ପଢ଼ା ପାଇଁ ସରକାର ଅନଲାଇନରେ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ବ୍ୟବସ୍ଥାରେ ନେଟୱାର୍କ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଚାଲିଛନ୍ତି । କିଏ ଛାତ ଉପରକୁ ଯାଉଛିତ ଆଉ କିଏ ଖୋଲା ସ୍ଥାନକୁ ଯାଇ ନେଟୱାର୍କ ଖୋଜୁଛନ୍ତି । ତେବେ ଅନଲାଇନ ପାଠପଢ଼ା ସମୟରେ ବିଭିନ୍ନ କମ୍ପାନୀର ଦୁର୍ବଳ ନେଟୱାର୍କ ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀମାନେ ମୁଣ୍ଡରେ ହାତ ଦେଉଛନ୍ତି । ତେବେ ଉପଯୁକ୍ତ ଭିତ୍ତିଭୂମୀ ଥାଇ ମଧ୍ୟ ଭଦ୍ରକରେ ଅନ୍ୟତମ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ସେବା ନିମ୍ନଗାମୀ ହେବାରେ ଲାଗିଛି । ପରିଚାଳନାଗତ ତ୍ରୁଟି ହେଉ କିମ୍ବା ରକ୍ଷଣାବେକ୍ଷଣର ଅଭାବ କାରଣରୁ ଏହି ଭିତ୍ତିଭୂମୀର ସତ୍‌ବିନିଯୋଗ ହୋଇ ପାରୁନି । ଫଳରେ ଏହି ବିଏସଏନଏଲ ସେବା ଉପରେ କ୍ରମେ ଉପଭୋକ୍ତାମାନେ ବିଶ୍ୱାସ ହରାଇ ବସିଛନ୍ତି । ବିଭାଗୀୟ ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଭଦ୍ରକ ସହରର ବନ୍ତ ଛକରେ ଥିବା ବିଏସଏନଏଲ ଏକ୍ସଚେଞ୍ଜ ଅଧିନରେ ପ୍ରାୟ ୧୨ଶହ ଉପଭୋକ୍ତା ଅଛନ୍ତି । ଭଦ୍ରକ ପୌରାଞ୍ଚଳ ସମେତ ଚରମ୍ପା ଅଞ୍ଚଳର ଗ୍ରାହକ ସେମାନଙ୍କ ମଧ୍ୟରେ ଅର୍ନ୍ତଭୂକ୍ତ । ସେହିପରି ୭ଶହରୁ ଉର୍ଦ୍ଧ୍ୱ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଏହି ଏକ୍ସଚେଞ୍ଜ ଜରିଆରେ ପ୍ରଦାନ କରାଯାଇଛି । ଯାହାକି ବିଗତ ୩ବର୍ଷ ମଧ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି ବୋଲି ସୂଚନା ମିଳିଛି । କେବଳ କେତେକ ସରକାରୀ କାର୍ଯ୍ୟାଳୟ, ସରକାରୀ ଅଧିକାରୀଙ୍କ ବାସଭବନ ଓ କେତେକ ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ବିଏସଏନଏଲ ସିମୀତ ରହିଯାଇଥିବାବେଳେ, ହାତଗଣତି ଘରୋଇ ଉପଭୋକ୍ତା ରହିଛନ୍ତି ।

ତେବେ ନିମ୍ନମାନର ସେବା ଯୋଗୁଁ ଏପରି ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ, ଯଦି କୌଣସି ସମୟରେ କାହାର ଫୋନ ସଂଯୋଗ ଖରାପ ହେଲା, ସେମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବାରେ ବିଏସଏନଏଲ କମ୍ପାନୀ କର୍ତ୍ତୃପକ୍ଷ ବିଫଳ ହେଉଛି । ନିଗମର ଏପ୍ରକାର ଦୁର୍ବଳତାର ଫାଇଦା ଏବେ ଘରୋଇ ଟେଲିକମ୍ କମ୍ପାନୀ ନେଇ ଚାଲିଛନ୍ତି । ଅନଲାଇନ ପାଠ ପଢ଼ା ଚାଲିଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଜିଓ ଏବଂ ଏଆରଟେଲ ସେବା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଉଚ୍ଚମାନର ସେବା ପାଇବାକୁ ପ୍ରତ୍ୟେକ ଦିନ ଆବଶ୍ୟକ ପଡ଼ୁଥିବା ଡାଟା ପାଇଁ ଏବେ ଅଭିଭାବକମାନେ ଯଥେଷ୍ଟ ଅଧିକ ଖର୍ଚ୍ଚ କରି ଘରୋଇ ମୋବାଇଲ ନେଟୱାର୍କ ବ୍ୟବହାର କରୁଛନ୍ତି । କାରଣ ସ୍ପିଡ ଓ ଡାଡ଼ା ଅନୁଯାୟୀ ଉପଭୋକ୍ତାଙ୍କୁ ଅର୍ଥ ଦେବାକୁ ପଡ଼ୁଥିବାବେଳେ, ବିଏସଏନଏଲ ଉପରେ ଉପଭୋକ୍ତା ବିଶ୍ୱାସ ସ୍ଥାପନ କରି ପାରୁନାହାନ୍ତି । ଠିକ ସେହିପରି ବିଭିନ୍ନ କମ୍ପାନୀର ୱାଇ-ଫାଇ ସଂଯୋଗ ନେଇ ମଧ୍ୟ ବହୁ ବ୍ୟକ୍ତି ବିଶେଷକରି ଛାତ୍ରଛାତ୍ରୀମାନେ କାମ କରୁଛନ୍ତି । ତେବେ ୧୫ବର୍ଷ ପୂର୍ବେ ବିଭିନ୍ନ ଟେଲିକମ୍ କମ୍ପାନୀ ମୋବାଇଲ ଫୋନ ସେବା ଆରମ୍ଭ କରିବା ପରେ ବିଏସଏନଏଲ ଉପରେ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସେମସ୍ତ କମ୍ପାନୀଙ୍କ ଆକର୍ଷଣୀୟ ଅଫର ଓ ସନ୍ତୋଷଜନକ ସେବା ସହିତ ତାଳ ଦେଇ ପାରିନି ଏହି ରାଷ୍ଟ୍ରାୟତ ଉଦ୍ୟୋଗ । ଅନ୍ୟପକ୍ଷରେ ନିଗମର ଭଦ୍ରକ ଏକ୍ସଚେଞ୍ଜ ଅଧିନରେ ସ୍ୱଳ୍ପ ମଜୁରୀରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନେ ଯଥାସମ୍ଭବ ସେବା ଯୋଗାଇ ଦେବାକୁ ତତ୍ପର ଥିଲେ ମଧ୍ୟ ସେମାନଙ୍କର ସାମାଜିକ ସୁରକ୍ଷା ନାହିଁ । ତେଣୁ କାମ କରିବା ପାଇଁ ସେମାନଙ୍କ ଠାରେ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି । ଅପରପକ୍ଷରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ନିଗମ ବିଛାଇଥିବା କେବୁଲ କଟିଯାଉଛି । ନିର୍ମାଣ କାର୍ଯ୍ୟ ସରୁନଥିବାରୁ ସେଗୁଡ଼ିକୁ ସଜାଡ଼ିବାକୁ ମାସ ମାସ ଏପରିକି ୧ବର୍ଷରୁ ଉପରେ ଲାଗୁଛି । ତେଣୁ ପରିଚାଳନାଗତ ତ୍ରୁଟି ଓ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିଏସଏନଏଲ ସେବା ଏବେ ନିମ୍ନଗାମୀ ହେବାକୁ ବସିଛି ।