Odiapua.com

ଅଧୁରା ରହିଲା ଜିଲ୍ଲାବାସୀଙ୍କ ସ୍ୱପ୍ନ : ଭଦ୍ରକ ମହାବିଦ୍ୟାଳୟର ୭୩ତମ ପ୍ରତିଷ୍ଠା ଦିବସ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟର ୭୩ତମ ପ୍ରତିଷ୍ଠା ଦିବସ ଆଜି କଲେଜ ପରିସରରେ କଲେଜର ପ୍ରତିଷ୍ଠାତା ନରେନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ନିକଟରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ପ୍ରଥମେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହାତାବଙ୍କ ପ୍ରତିମୂର୍ତ୍ତିରେ କଲେଜ ଅଧ୍ୟକ୍ଷ ପ୍ର. ବଙ୍କିମ ଚନ୍ଦ୍ର ସାହୁ ପୁଷ୍ପମାଲ୍ୟ ଦେଇଥିବା ବେଳେ ଛକଡି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ପୂର୍ବତନ ସମ୍ପାଦକ ଅଧିବକ୍ତା ନିତ୍ୟାନନ୍ଦ ଦାସ ମାଲ୍ୟାର୍ପଣ କରିଥିଲେ । ନରେନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତିରେ ପୁରାତନ ଛାତ୍ର ସଂସଦର ସଦସ୍ୟମାନଙ୍କ ସମେତ କଲେଜରେ ଉପସ୍ଥିତ ଅଧ୍ୟାପକ ମାନେ ମାଲ୍ୟାର୍ପଣ କରିବା ପରେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଅଜୟ ନାୟକ ପତାକା ଉତ୍ତୋଳନ କରିବା ହିତ ପୌରୋହିତ୍ୟ କରିଥିଲେ । ଶ୍ରୀ ନାୟକ ୭୩ ବର୍ଷ ପୂର୍ବରୁ ଡ. ହରେକୃଷ୍ଣ ମହତାବ ଭଦ୍ରକ କଲେଜକୁ ପଲ୍ଲି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ଦେଖିଥିବା ସ୍ୱପ୍ନକୁ ଆଜି ପର୍ଯ୍ୟନ୍ତ ସାକାର ହେଇ ନପାରିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏକଦା ଭଦ୍ରକ କଲେଜକୁ ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ତମ କଲେଜ କୁହାଯାଉଥିବା ବେଳେ ୩୦ ଏକର ପରିମିତ ଜମି ଏବଂ ପ୍ରାୟ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏପରିକି ୫ହଜାର ଛାତ୍ରୀ ଅଧ୍ୟୟନ କରୁଥିବା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇବା ଦୂରର କଥା ଓଡ଼ିଶାର ଅନ୍ୟାନ୍ୟ ମହାବିଦ୍ୟାଳୟମାନଙ୍କରେ ଯାଉଁ ହାରରେ ଉନ୍ନତି ହୋଇଛି, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସେହିଭଳି ଉନ୍ନତି ହେବାରୁ ବଂଚିତ ହୋଇଛି । ଯାହା ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଲଜ୍ଜାଜନକ ବୋଲି ମତ ପ୍ରକାଶ ପାଇଥିଲା । ଅଧିବକ୍ତା ପବନ ଶର୍ମା, ଶାନ୍ତନୁ ରାଉତ, ବୈଲୋଚନ ବେହୁରିଆ, ରୂପକ ବିହାରୀ ରାୟ, ଚାରୁଲତା ମହାପାତ୍ର, ସଂଗ୍ରାମ କିଶୋର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାମାଜିକ ଦୂରତାକୁ ଆଖି ଆଗରେ ରଖି କଲେଜର ଅଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ, ଗୋକୁଳି ଚନ୍ଦ୍ର ମହାନ୍ତି, ଅଧିବକ୍ତା ଗଦାଧର ବଳ, ଦୁର୍ଗାଶଙ୍କର ଦାସ, ରମାକାନ୍ତ ସାମଲ ପ୍ରମୁଖ ପୁରାତନ ଛାତ୍ର ସଂସଦ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମିତ କୁମାର ଦାଶ, ଅଜିତ କୁମାର ଦାସ, ପ୍ରମୋଦ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୁରାତନ ଛାତ୍ର ସଂସଦର ସହସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।