ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧିକ ଯୌତୁକ ଦାବି କରି ବୋହୂ କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି। ବୋହୂଙ୍କ ଅଭିଯୋଗ ଆଧାରରେ ପୋଲିସ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ମାମଲା କରି ତଦନ୍ତ ଆରମ୍ଭ କରିଛି।ଅଭିଯୋଗ ଅନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଖପରପଦା ଗ୍ରାମର ଚୌଧୁରୀ ସେନାଙ୍କ ଝିଅ ସିଲିରାଣୀ ସେନା ୨୦୨୧ ଏପ୍ରିଲ ୧୪ ତାରିଖରେ କୋଠାର ପଂଚାୟତ ଡିଲୋ (ଅର୍ଣ୍ଣପୂର୍ଣ୍ଣା ଛକ) ଗ୍ରାମର ବାବୁରାମ ସେନ ଙ୍କ ପୁଅ ପୁରୁଷୋତମ ସେନ ଙ୍କୁ ବିବାହ କରିଥିଲେ। ବିବାହ ସମୟରେ କନ୍ୟା ଘର ପକ୍ଷରୁ ନଗଦ ୨୫ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଏବଂ ଆସବାବପତ୍ର ଦିଆ ଯାଇଥିଲା।ବିବାହର କିଛିଦିନ ପରେ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ସିଲିରାଣୀ ଜାଣିବାକୁ ପାଇଥିବା ଏବଂ ଏହାର ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପରେ ଗାଡ଼ି କିଣିବା ପାଇଁ ବାପଘରୁ ଆଉ ଏକ ଲକ୍ଷ ଟଙ୍କା ଆଣିବାକୁ ଶ୍ୱଶୁର ଘର ପକ୍ଷରୁ ଦାବି କରାଯାଇ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।ତେବେ ୧୫ ସେପ୍େଟମ୍ବର ରାତି ପ୍ରାୟ ୮ ଟା ସମୟରେ ସିଲିରାଣୀ ବାପଘରୁ ଫେରିବା ପରେ ସ୍ୱାମୀ ପୁରୁଷୋତମ, ଶ୍ୱଶୁର ବାବୁରାମ, ଶାଶୁ ପାର୍ବତୀ ଓ ନଣନ୍ଦ ମାତାଜୀ ତାଙ୍କୁ ଜୋରଜବରଦସ୍ତ ଏକ କୋଠରୀକୁ ଟାଣି ନେଇଥିବା ସେ ଅଭିଯୋଗ କରିଛନ୍ତି। ଯୌତୁକ ଟଙ୍କା ନଆଣି ବାକୁ କେନ୍ଦ୍ର କରି ଶ୍ୱଶୁର ତାଙ୍କୁ ଅସଦାଚରଣ କରିଥିବା ଏବଂ ଶାଶୁ ଓ ନଣନ୍ଦ ମିଶି ତାଙ୍କ ବେକରୁ ରୂପା ଚେନ ଛଡ଼ାଇ ନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଏହି ସମୟରେ ସ୍ୱାମୀ ଏକ ଶାବଳ ଧରି ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିବା ସିଲିରାଣୀ ଅଭିଯୋଗ କରିଛନ୍ତି। ଘଟଣା ନେଇ ସେପ୍େଟମ୍ବର ୨୧ ରେ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏଫଆଇଆର ନମ୍ବର ୪୧୬/୨୦୨୬ ରୁଜୁ କରିଛି। ବିଏନଏସ୍ର ଧାରା ୮୫, ୧୨୬(୨), ୧୧୫(୨), ୩୫୧(୨), ୧୦୯(୧), ୩(୫) ସହ ଯୌତୁକ ନିରୋଧ ଆଇନର ଧାରା ୪ ଅନୁଯାୟୀ ମାମଲା ହୋଇଥିବା ଜଣାପଡ଼ିଛି। ଏଫଆଇଆରରେ ପୁରୁଷୋତମ ସେନ, ବାବୁରାମ ସେନ, ପାର୍ବତୀ ସେନ ଓ ମାତାଜୀ ସେନାଙ୍କ ନାମ ରହିଛି। ମାମଲାର ତଦନ୍ତ ଦାୟିତ୍ୱ ସବ୍?-ଇନ୍ସପେକ୍ଟର ସୁଜାତା ସାହୁଙ୍କୁ ଦିଆଯାଇଛି।