ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି ପୁରୁଣା ହାଟ ଛକରେ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସ ଭଡା ଅଧିକ ନେବା ପ୍ରତିବାଦରେ ମଙ୍ଗଳବାର ସକାଳ ସାଢେ ୬ଟା ଠାରୁ ୧ଘଣ୍ଟା ଧରି ବସ ରୋକ ଆନ୍ଦୋଳନ ହୋଇଥିଲା। ତେବେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ )ଶୁଭେନ୍ଦୁ ରଞ୍ଜନ ରାୟ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସରକାରୀ ଧାର୍ଯ୍ୟ ଭଡା ଠାରୁ ଯାତ୍ରୀଙ୍କ ପାଖରୁ ଅଧିକ ଭଡା ନେଉଥିବା ବସର ପରମିଟ ବାତିଲ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏପରିକି ଅଧିକ ଭଡ଼ା ନେଉଥିବା କଣ୍ଡକ୍ଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ। ଆରଟିଓଙ୍କ ସହିତ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଉପସ୍ଥିତ ରହି ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ବିବରଣୀରୁ ପ୍ରକାଶ ଯେ, ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥରେ ଚାଲୁଥିବା ଯାତ୍ରୀବାହୀ ବସରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ଠାରୁ ୨ଗୁଣା ଅଧିକ ଭଡ଼ା ନିଆଯିବା, ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯିବା, ବସରେ ରେଟ ଚାଟ ଲଗା ନଯିବା ସମ୍ପର୍କରେ ଅଭିଯୋଗରେ ଦର୍ଶାଇ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ତିହିଡି଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ୨ଥର ଅଭିଯୋଗ କରାଯାଇଥିଲା।ମାତ୍ର ଏନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ଗତ ୨୪. ୧୧. ୨୫ତାରିଖରେ ତିହିଡି଼ରେ ବସରୋକୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ତିହିଡି଼ ଥାନା ପରିସରରେ ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟଙ୍କ ଉପସ୍ଥିତିରେ ସିପିଏମ ନେତା ଓ ବସ ସିଣ୍ଡିକେଟ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦଳ ପକ୍ଷରୁ ଉପସ୍ଥାପନା କରାଯାଇଥିବା ବିଭିନ୍ନ ଦାବି ପୂରଣ କରାଯିବ ବୋଲି ସିଣ୍ଡିକେଟ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ବସରେ ପୂର୍ବପରି ୨ଗୁଣା ଅଧିକ ଭଡ଼ା ନିଆଯିବାରୁ ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ୩୧ତାରିଖରେ ବସରୋକୋ କରିବ ବୋଲି ଚେତାବନୀ ଦେଇଥିଲା । ମଞ୍ଚ ପକ୍ଷରୁ ବିଷ୍ଣୁ ଦାଶ, ସତ୍ୟବ୍ରତ କୁଣ୍ଡ, ମଳୟ ଭୋଇ, ନିର୍ମଳ ଦଳେଇ, ଭାଗବତ ସେନାପତି, ମନମୋହନ କୁଣ୍ଡ, କୃଷ୍ଣଚନ୍ଦ୍ର ମଲିକ, ବାବୁରାମ ମଲିକ, ବିଜୟ ମଲିକ, ପୁରସ୍ତମ ସାହୁ, ଅଭିମନ୍ୟୁ ବହଳି , ଗଜେନ୍ଦ୍ର ବେହେରା,ସନାତନ ଦାସ, ସୁବାଷ ଦାସ,ମୁକ୍ତିକାନ୍ତ ଭଳ,ମଧୁସୂଦନ କୁଣ୍ଡ,ତଉଲ ମଳିକ, ଲଷ୍ମୀଧର ଦାସ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।