Odiapua.com

ଅଦୃଶ୍ୟ ହୋଇଯିବ ଛାଇ!

ଭୁବନେଶ୍ୱର;୨୦,୦୫(ଦେବଦତ୍ତ ରଥ):କୁହାଯାଏ ସମସ୍ତେ ଆପଣଙ୍କ ପାଖ ଛାଡ଼ି ଦେଇପାରନ୍ତି,କିନ୍ତୁ ଛାଇ କେବେ କାହାର ପାଖ ଛାଡେନି।କିନ୍ତୁ ଛାଇ ପାଖ ଛାଡିବ।ଅଦୃଶ୍ୟ ହୋଇଯିବ ଆପଣଙ୍କର ତଥା ପ୍ରତ୍ୟକ ବସ୍ତୁର ଛାଇ।

ବାସ୍ତବରେ ଏହା ପ୍ରଥମ ଥର ହେଉ ନାହିଁ।ପ୍ରତ୍ୟକ ବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଏହିପରି ହୋଇଥାଏ।କିଛି ସମୟ ପାଇଁ ପ୍ରତ୍ୟକ ବସ୍ତୁର ଛାଇ ଗାଏବ ହୋଇ ଯାଇଥାଏ।ଏହାକୁ ଶୂନ୍ୟ ଛାୟା ଦିବସ କୁହାଯାଏ।ପ୍ରତ୍ୟହ ସକାଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ଏବଂ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ଏବଂ ସୂର୍ଯ୍ୟଙ୍କ କିରଣ ପଡିଲେ ବିପରୀତ ଦିଗରେ ଏକ ଛାଇ ସୃଷ୍ଟି ହୁଏ ବୋଲି ଆମେ ଜାଣି ଆସିଛେ।କିନ୍ତୁ ଏବେ କିନ୍ତୁ ଜ୍ୟୋତିର୍ବିଜ୍ଞାନୀ ମାନେ କହିଛନ୍ତି ସବୁଦିନ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଅନ୍ତି ନାହିଁ।ବର୍ଷରେ କେବଳ ୨ ଦିନ ହିଁ ସୂର୍ଯ୍ୟ ଠିକ୍‌ ପୂର୍ବ ଦିଗରେ ଉଦୟ ହୁଅନ୍ତି।ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍‌ ମୁଣ୍ଡ ଉପରେ ରୁହନ୍ତି।ତେଣୁ ସେ ସମୟରେ କୌଣସି ବସ୍ତୁର ଛାଇ ଦେଖାଯାଏ ନାହିଁ।ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀମାନେ ‘ଶୂନ୍ୟ ଛାୟା ଦିବସ’ ବା ‘ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି।


ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁଯାୟୀ ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢ଼ଳି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ବୁଲିବାରେ ଲାଗିଛି।ତେଣୁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଅନ୍ତି ନାହିଁ କି ସମାନ ସ୍ଥାନରେ ଅସ୍ତ ମଧ୍ୟ ହୁଅନ୍ତି ନାହିଁ।ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ।ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି କୁହାଯାଏ।ଏହିପରି ଦକ୍ଷିଣ ଦିଗକୁ ଢ଼ଳି ଢ଼ଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ।ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ହୋଇଥାଏ।ରାତି ଛୋଟ ଓ ଦିନ ବଡ଼ ହୁଏ।ଏବଂ ସୂର୍ଯ୍ୟଙ୍କର ଉତ୍ତର ଦିଗକୁ ଗତି ବା ଉତ୍ତରାୟଣ ଆରମ୍ଭ ହୋଇଥାଏ।ସେହିଦିନ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରିଥାନ୍ତି।ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାନ୍ତି ଫଳରେ ସେଠାରେ ‘ଶୂନ୍ୟ ଛାୟା’ ଘଟିଥାଏ।

ଭୁବନେଶ୍ୱରରେ ଆସନ୍ତା ମେ’ ୨୧ ତାରିଖ ପୂର୍ବାହ୍ନ ୧୧ଟା ୪୩ ସମୟରେ ଏବଂ ଜୁଲାଇ ୨୨ ତାରିଖ ୧୧ଟା ୫୩ରେ “ଶୁନ୍ୟ ଛାୟା” ଦେଖିବାକୁ ମିଳିବ।ବୁର୍ଲାଠାରେ ମେ୨୮ ପୂର୍ବାହ୍ନ ୧୧ଟା ୫୨ ଏବଂ ଜୁଲାଇ ୧୫ ମଧ୍ୟାହ୍ନ ୧୨ଟା ସମୟରେ,ରାଉରକେଲାରେ ଜୁନ ୨ ପୂର୍ବାହ୍ନ ୧୧.୪୮ ଏବଂ ଜୁଲାଇ ୧୦ ପୂର୍ବାହ୍ନ ୧୧ଟା ୫୬ ସମୟରେ, ବଲାଙ୍ଗିରରେ ମେ ୨୩ ପୂର୍ବାହ୍ନ ୧୧ଟା ୫୪ ଏବଂ ଜୁଲାଇ ୨୦ ମଧ୍ୟାହ୍ନ ୧୨ଟା ୪ ମିନିଟ୍‌ ସମୟରେ, ବାରିପଦାରେ ମେ’ ୩୧ ପୂର୍ବାହ୍ନ ୧୧ଟା ୪୧ ଏବଂ ଜୁଲାଇ ୧୨ ତାରିଖ ପୂର୍ବାହ୍ନ ୧୧ଟା ୪୯ ସମୟରେ “ଶୁନ୍ୟ ଛାୟା” ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।