Odiapua.com

ଅଦିନିଆ ବର୍ଷାରେ ଧାନ, ପନିପରିବା ଯାଇଥିଲା; ଏବେ ମୁଗ, ବିରି ଗଲା, ଚିନ୍ତାରେ ଚାଷୀ

ନୟାଗଡ଼, ୧୫-୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଶୀତଦିନେ ଘଟୁଛି ବିପରୀତ ଘଟଣା। ବର୍ଷାରେ ମରୁଡ଼ି, ଶୀତରେ ବର୍ଷା ଚାଷୀର ମେରୁଦଣ୍ଡକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଛି। ଏପରି ଅସ୍ୱାଭାବିକ ପାଗ ପରିବର୍ତ୍ତନ ଚାଷ ପାଇଁ ସବୁ ଓଲଟ ପାଲଟ କରିଦେଇଥିବାରୁ ଯେଉର୍ ସମୟରେ ଯାହା ନହେବା କଥା ତାହା ହେଉଛି। ଅମଳ ସମୟରେ ଅଦିନିଆ ବର୍ଷା ଚାଷୀକୂଳକୁ ଏବେ ଦାଉ ସାଧିବାରେ ଲାଗିଛି। ବିଲରେ ପାଚିଲା ଧାନ ପଡ଼ିଛି। ଧାନ ପାଣିରେ ବୁଡ଼ି ଯାହା ଯାଇଥିଲା ଚାଷୀ ତାକୁ ଜମିରୁ ସାଉଁଟୁ ସାଉଁଟୁ ଏବେ ବର୍ଷାଯୋଗୁଁ ଧାନ ସହିତ ବୁଣାଯାଇଥିବା ମୁଗ, ବିରି ଫସଲ ମଧ୍ୟ ଗଲା ବୋଲି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ମରୁଡ଼ି ମୁହଁରୁ ଧାନ ମୁକୁଳୁ ମୁକୁଳୁ ବର୍ଷା ଧାନକ୍ଷେତକୁ ଧୋଇନେବା ସହିତ ପନିପରିବା ଫସଲ ମଧ୍ୟ ଲଘୁଚାଷ ବର୍ଷା ପାଇଁ କାଳ ସାଜିଲା। ଏବେ ଯିଏ ଯାହା ମୁଗ ବିରି ଜମିରେ ବୁଣିଥିଲା ଅଦିନିଆ ବର୍ଷାରେ ତାହାବି ଉଜାଡ଼ିଗଲା ବୋଲି କେତେକ ଚାଷୀ ମନଦୁଃଖର ସହିତ କହିଛନ୍ତି। ଧାନ ଫସଲ ଉକ୍ସୁଡ଼ିବା ପରେ ଚାଷୀ ଆଶା କରିଥିଲା ରବି ଫସଲ କରି ଦି’ପଇସା ପାଇବ। ହେଲେ ଯାହା ରବି ଫସଲ ବୁଣିଥିଲା ସେ’ତ ଗଲା ଯେଉଁ ଜମିରେ ରବି ଫସଲ ବୁଣା ହେବ ବୋଲି ପାଗକୁ ଚାଷୀ ଅପେକ୍ଷା କରିଥିଲା ଅଦିନିଆ ବର୍ଷା ପ୍ରଭାବରେ ସେ’ବି ଅପାଗିଆ ହୋଇଯିବାରୁ ଜମିରେ ଆଉ ଖରିଫ ଫସଲ ବୁଣାଯିବା ପରି ପରିସ୍ଥିତି ନହେବା ଆଶଙ୍କା ସୃଷ୍ଟିକରିଛି।