Odiapua.com

ଅଦିନିଆ ବର୍ଷାରେ ଥରିଲା ଓଡିଶା;ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଆଜି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  ଅଦିନିଆ ବର୍ଷା କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆଜି ପ୍ରବଳ ଥଣ୍ଡାରେ ସାରା ଓଡ଼ିଶା ଥରିବା ସହ ଏହିଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ସୁଚନାଜାରୀ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୨୨ମିମି ବର୍ଷା ହୋଇଛି। ସେହିପରି ବୌଦ୍ଧରେ ୧୫.୩ମିମି, ନୟାଗଡ଼ରେ ୧୫.୨ମିମି, ସୋନପୁର, ଦାରିଙ୍ଗବାଡ଼ି, ଅନୁଗୁଳ ଓ ବାଲେଶ୍ବରରେ ୧୦ମିମି, ଫୁଲବାଣୀ ଓ ଟିଟିଲାଗଡ଼ରେ ୧୨ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧ମିମି, କଟକରେ ୩.୪ମିମି, ପାରାଦୀପରେ ୦.୨ମିମି, ଭୁବନେଶ୍ବରରେ ୩.୬ମିମି, ପୁରୀ ୦.୪ମିମି, ବାରିପଦାରେ ୨ମିମି, ଝାରସୁଗୁଡ଼ାରେ ୧ମିମି, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ ଓ ତାଳଚେରରେ ୪ମିମି ଲେଖାଏଁ, ଭବାନୀପାଟଣା‌‌ରେ ୧ମିମି, ବଲାଙ୍ଗୀରରେ ୨ମିମି, ରାୟଗଡ଼ାରେ ୧.୭ମିମି ବର୍ଷା ହୋଇଛି।

ଆଜି ସଂଧ୍ୟା ପରେ ପାଗରେ ପରିବର୍ତ୍ତନ ଆସିବ। ହେଲେ ବର୍ଷା ଛାଡ଼ିବା ପରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବା ସହ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ହେବ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ପାରଦ ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରି କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।ପାଣିପାଗ କେନ୍ଦ୍ର ସୂଚନା ଅନୁଯା‌ୟୀ ଅନୁଗୁଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ଶୀତ ହେବ। ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର ବାକି ଅଞ୍ଚଳରେ ବି ଥଣ୍ଡା ହେବ କିନ୍ତୁ ଆଭ୍ୟନ୍ତର ଓ ଉତ୍ତର ଓଡ଼ିଶା ତୁଳନାରେ କମ୍ ହେବ। ସେହିପରି ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କଟକ, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ପଡ଼ିବ।