Odiapua.com

ଅଣସର ପିଣ୍ଡିରେ ଚାଲିଚି ଗୁପ୍ତ ସେବା ଓ ଉପଚାର

ପୁରୀ ୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ନାନ ଯାତ୍ରାରେ ୧୦୮ ଗରା ଜଳରେ ସ୍ନାନ କରି ଶ୍ରୀ ଜିଉ ଜ୍ଵରରେ ପଡ଼ିବା ପରେ ଏବେ ଅଣସର ପିଣ୍ଡିରେ ଚାଲିଚି ଗୁପ୍ତ ସେବା ଓ ଉପଚାର। ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ଗୁପ୍ତ ସେବା ଓ ଉପଚାର କରୁଛନ୍ତି। ଅନବସରର ପଞ୍ଚମ ଦିବସରେ ଗୁପ୍ତ ସେବା ଜାରି ରଖିଛନ୍ତି ଦଇତାପତି ସେବକ।

ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଉଲାଗି ହୋଇଚି। ଏହା ଫଳରେ ଶ୍ରୀ ଜୀଉ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। ତଥାପି ଜ୍ଵର ଛାଡ଼ିନାହିଁ। ଏଥିପାଇଁ ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ଚକଟା ଭୋଗ ଅର୍ପଣ କରାଯାଉଛି। ବିଭିନ୍ନ ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି।

ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି। ଏହି ଅନବସର ସମୟରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି। ଅଣସର ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି। ପଟିଦିଅଁଙ୍କଠାରେ ଛପନ ଭୋଗ ଲାଗି ହେଉଛି। ଆଜି ଶ୍ରୀ ଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ପରମ୍ପରା ଅନୁଯାୟୀ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବ। ଅନ୍ୟପଟେ ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ ଦଇତାପତି ସେବକମାନେ ବି ଶୁକ୍ଳ ବସ୍ତ୍ର ପରିଧାନ କରିଛନ୍ତି।

ଏପରିକି ଧଳା ଫୁଲ ଠାକୁରଙ୍କୁ ଲାଗି ହେଉଛି। ତେଵେ ଅଣସର ସମୟରେ ପଣା ଭୋଗର ସ୍ୱତନ୍ତ୍ରତା ରହିଛି। ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କ ନିକଟରେ ଏବେ ଫଳମୂଳ, ଚକଟା ଓ ପଣାଭୋଗ ଲାଗି କରାଯାଉଛି। ଏହାସହ ସର, ଲହୁଣି, ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଉଛି। ଲାଗି ସର ଓ ଲହୁଣିକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି ମାନେ ନିଜ ଘରକୁ ଆଣି ଭକ୍ତ ମାନଙ୍କ ଉଦେଶ୍ୟରେ ପଣା ପ୍ରସ୍ତୁତ କରିଥାନ୍ତି। ସର, ଲହୁଣି, ଚିନି ତଥା ଛାଚି ଇତ୍ୟାଦି ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଏ। ଦଇତାପତି ସେବାୟତ ମାନେ ଭକ୍ତ ମାନଙ୍କ ଉଦେଶ୍ୟରେ ଏହି ପଣା ପ୍ରସ୍ତୁତ କରୁଥିବା ବେଳେ କେତେକ ମଧ୍ୟ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀଙ୍କ ଉଦେଶ୍ୟରେ ଏହି ପଣା ସମର୍ପଣ କରିଥାନ୍ତି। ତେବେ ଏହି ପଣା ଟିକକ ପାଇବା ପାଇଁ ବର୍ଷକୁ ଥରେ ଭକ୍ତମାନଙ୍କ ମନରେ ରହିଥାଏ ଅନେକ ଆଗ୍ରହ। ପଣା ଟିକକ ପାଇବା ପରେ ଭକ୍ତ ନିଜକୁ ଭାଗ୍ୟବାନ ମନେ କରିଥାନ୍ତି। ଏହି ପଣାଭୋଗ ପାଇଁ ପ୍ରତିବର୍ଷ ଭକ୍ତ ମାନଙ୍କ ଠାରୁ ଆରମ୍ଭ କରି ଦେବାଦେବୀ ମଧ୍ୟ ଚାତକ ପରି ଚାହିଁ ରହିଥାନ୍ତି। ଏହି ପଣାଭୋଗ ସେବନ ଦ୍ବାରା ଅନେକ ଦୁସାଧ୍ଯ ରୋଗ ମଧ୍ୟ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି।