Odiapua.com

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ

ବାଲିଗୁଡ଼ା ୨୨/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ମହାପ୍ରଭୁ ଗତ ୧୭ ତାରିଖ ଠାରୁ ଅଣସର ଘରକୁ ଚାଲି ଯାଇଛନ୍ତି। ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀ ବିଗ୍ରହମାନେ ଜ୍ୱରରେ ପିଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀ ଜିଉ ମାନଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି ରଖିଛନ୍ତି। ଦିଅଁମାନେ ୧୫ ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରିପାରିବେ ନାହିଁ ଓ ପଟିଦିଅଁଙ୍କୁ ପୂଜା କରିବେ। ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅସୁସ୍ଥ ଠାକୁରଙ୍କ ସେବାରେ ଯେପରି ବ୍ୟାଘାତ ନହେବ, ସେନେଇ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଯଥା ସମ୍ଭବ ନିରବତା ରକ୍ଷା କରାଯାଉଛି। ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁରଙ୍କ ପାଖରେ କେବଳ ଫଳମୂଳ ଆଦି ଭୋଗ କରାଯାଉଛି। ମହାପ୍ରଭୂଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ଶ୍ରୀଜୀଉଙ୍କ ସେବା କରୁଛନ୍ତି। ଏହି ସମୟରେ ସେବକମାନେ ଶରୀରରେ କୌଣସି ପ୍ରକାର ଅଳଙ୍କାର ନପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୂଙ୍କ ଗୁପ୍ତ ସେବାରେ ନିଜକୁ ବ୍ରତୀ କରିଛନ୍ତି। ପଟିଦିଅଁଙ୍କୁ ପ୍ରତିଦିନ ପୂଜା କରିବା ଲାଗି ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଆସନ୍ତା ୨ ତାରିଖ ଦିନ ନବ ଯୌବନ ବେଶରେ ଶ୍ରୀ ଜିଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।