Odiapua.com

ଅଟୋରିକ୍ସାକୁ ଧକ୍କା ଦେଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଲେ ଅଟୋ ଚାଳକ

ହରିଚନ୍ଦନପୁର,ତା ୧୪ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବରୋଗୋଡା ସମିଲ ଛକ ନିକଟରେ ଛିଡା ହୋଇଥିବା ଅଟୋରିକ୍ସା(ଓଡି ୦୯ ୯୮୭୦)କୁ ଧକ୍କା ଦେଲା ହାଇଓ୍ବା(ଓଡି ୩୫ ୯୬୧୦), ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଟୋର ଚାଳକ । ଖବର ଅନୁଯାୟୀ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ବରୋଗୋଡା ସମିଲ ଛକ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦହିବରା ଖାଇବା ପାଇଁ ଅଟୋରିକ୍ସା ଯୋଗେ ଅଟୋ ମେକାନିକ୍ ଦଶରଥ ସାହୁ(ମେଣା) ଯାଇଥିଲେ । ସେଠାରେ ଦହିବରା ପାଇଁ ଛିଡ଼ା ହୋଇଥିବା ସମୟରେ ଘଟଗାଁରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ଏକ ହାଇଓ୍ବା ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଫଳରେ ଅଟୋ ମଧ୍ୟରେ ଥିବା ଦଶରଥ ସାହୁ ଆହାତ ହୋଇଥିବା ବେଳେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା । ଘଟଣା ଘଟିବା ପରେ ହାଇଓ୍ବାକୁ ଚାଳକ ଜଣଙ୍କ ଦୃତଗତିରେ ଘଟଣାସ୍ଥଳରୁ ନେଇ ହରିଚନ୍ଦନପୁର ବଜାର ଦେଇ ବ୍ରାହ୍ମଣୀପାଳ ରାସ୍ତାରେ ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ କେତେ ଜଣ ଯୁବକ ବାଇକ୍ ଯୋଗେ ସମ୍ପୃକ୍ତ ହାଇଓ୍ବା ପଛରେ ଯାଇ ତାଳଡିହି ଛକ ନିକଟରେ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହାଇଓ୍ବାକୁ ଜବତ କରି ଥାନାକୁ ଆଣିଥିବା ସହ ଡ଼୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଉକ୍ତ ଅଟୋରିକ୍ସାଟି ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମର ଜତିନ୍ଦ୍ର ପଲେଇଙ୍କ ବୋଲି ଜଣାପଡ଼ିଛି । ସେ ଅଟୋଟିକୁ ମରାମତି ନିମନ୍ତେ ହରିଚନ୍ଦନପୁର ଠାରେ ଦେଇଥିବା ଜଣାପଡିଛି । ଏଥିସହ ଉକ୍ତ ଅଟୋରିକ୍ସା ପାଖରେ ଛିଡ଼ା ହୋଇଥିବା ଏକ ବାଇକ୍ ଭାଙ୍ଗିଯାଇଥିବା ସହ ଜଣେ ଆହାତ ହୋଇଥିବା ଜଣାପଡିଛି । ଉଭୟ ଆହାତଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।