Odiapua.com

ଅଟଳ ସ୍ମୃତି ସଂକଳନ ଓ ସମ୍ପର୍କ ଅଭିଯାନ, ବାଜପେୟୀ ଲୋକଙ୍କ ହୃଦୟ ଜିଣିଥିବା ରାଷ୍ଟ୍ରନାୟକ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରବାଦୀ ଚେତନାର କବିପ୍ରାଣ ରାଷ୍ଟ୍ର ନୀତିଜ୍ଞ ଥିଲେ।ରାଷ୍ଟ୍ର ପ୍ରେମ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ଅଟଳଜୀ ହିଁ ବିକଶିତ ଭାରତର ଭିତିଭୂମିକୁ ସୁଦୃଢ଼ କରାଇବାର ମହାନାୟକ।ବିଚକ୍ଷଣ ବୁଦ୍ଧିମତା, ରାଷ୍ଟ୍ର ପାଇଁ ସମର୍ପିତ ଭାବନା ତାଙ୍କୁ ପିଢ଼ି ପରେ ପିଢ଼ିଙ୍କ ହୃଦୟରେ ଉଜ୍ଜୀବିତ କରି ରଖିବ ବୋଲି ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ଅଟଳ ସ୍ମୃତି ସଙ୍କଳନ ଓ ସମ୍ପର୍କ ଅଭିଯାନରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସାଂସଦ ଅଭିମନ୍ୟୁ ସେଠୀ ଓ ଦଳୀୟ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି।ଅଟଳ ଜନ୍ମ ଶତ ବାର୍ଷିକ ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦଳର ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଜପେୟୀଙ୍କ ଜୀବନାଦର୍ଶ, ବ୍ୟକ୍ତିତ୍ୱ, ରାଜନୈତିକ କାର୍ଯ୍ୟକ୍ରମ ଓ ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ କାର୍ଯ୍ୟବଳୀ ସମ୍ପର୍କରେ ଆଲୋଚନା କରିଥିଲେ।ସାଂସଦ ଅଭିମନ୍ୟୁ ସେଠି,ବିଧାୟକ ସୀତାଅଂଶୁ ଶେଖର ମହାପାତ୍ର, ଦଳୀୟ ନେତା ବାଣିକଲ୍ୟାଣ ମହାନ୍ତି, ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ, ଅକ୍ଷୟ କୁମାର ସାହୁ,ଅଜୟ କୁମାର ନାୟକ,ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ପ୍ରକାଶ ମହାପାତ୍ର, ରଞ୍ଜିତା ସ୍ୱାଇଁ, ଶରତ ମହାନ୍ତି ପ୍ରମୁଖ ବାଜପେୟୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜକ ସୁରେଶ ସାମଲ ସ୍ୱାଗତ ଭାଷଣ, ଦୁର୍ଗାପ୍ରସନ୍ନ ଦାସ ଆଭିମୁଖ୍ୟ, ଓ ଅନିଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅଟଳ ବିହାରୀ ବାଜପେୟୀଙ୍କ ସଂସ୍ପର୍ଶରେ ଆସିଥିବା ଭୀମସେନ ବେହେରା,ଶେଖର ମହାପାତ୍ର, ଦାମୋଦର ସାହୁ,ନରେନ୍ଦ୍ର ମହାନ୍ତି, ବିପ୍ଳବ ହୋତା,ବାଜପେୟୀଙ୍କ କବିତାବଳୀର ଓଡ଼ିଆ ଅନୁବାଦକ ପ୍ରକାଶ ମହାପାତ୍ର, ରଞ୍ଜିତା ସ୍ୱାଇଁ,ଦୀପକ ମହାପାତ୍ର, କମଳାକାନ୍ତ ସୁତାର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବାଜପେୟୀଙ୍କ ଉପରେ ନିର୍ମିତ ବୃତ ଚିତ୍ର, ଭିଡିଓ କ୍ଲିପ ପରିବେଷଣ କରାଯାଇଥିଲା।ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ବାଜପେୟୀଙ୍କ ସମ୍ପର୍କରେ ଆଲୋଚନା କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁଭୂତିର ଡିଜିଟାଇଜେସନ କରାଯିବ ବୋଲି ସୂଚନା ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଦଳର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।