Odiapua.com

ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେବ, କେନ୍ଦ୍‌ୁଆପଦା ରେଳ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ରର ଅନୁମୋଦନ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ରେଳପଥର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ କେନ୍ଦୁଆପଦା ରେଳ ଷ୍ଟେସନ ଯାତ୍ରୀ ପରିବହନ ଠାରୁ ମାଲ୍ ପରିବହନ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି । ଏହି ରେଳ ଷ୍ଟେସନ ଉପରେ ବନ୍ତ ବ୍ଲକର ୧୭ଟି ପଞ୍ଚାୟତ, ହଟଡିହିର ୧୦ଟି, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର କେତେକ ପଞ୍ଚାୟତର ଲୋକମାନେ ଦୈନନ୍ଦିନ ଜରୁରୀ କାମପାଇଁ କଟକ, ଭୁବନେଶ୍ୱର ଯାଉଥିବା ବେଳେ ବେପାର ବଣିଜ ନିମନ୍ତେ ଯାଜପୁର, କଲିକତା ଆଦି ସ୍ଥାନକୁ ଯାତାୟତ ନିମନ୍ତେ ନିର୍ଭରଶୀଳ । ଷ୍ଟେସନ ନିକଟରେ ବାରିକପୁର ବନ୍ତ ପୂର୍ତ୍ତ ବିଭାଗ ରାସ୍ତା ଉକ୍ତ ରେଳପଥକୁ ଅତିକ୍ରମ କରିଛି । ଉକ୍ତ ବିକେବିଏମ ପୂର୍ତ୍ତ ବିଭାଗ ରାସ୍ତାଟି ଆଗରପଡ଼ା ଠାରୁ ବାହାରି ଭାୟା ବନ୍ତ ଦେଇ ୩୪ କି.ମି ଦୂର ବାରିକପୁର ଠାରେ ୧୬ନଂ ଜାତୀୟ ରାଜପଥ ସହ ସଂଯୋଗ ହୋଇଛି । ଏହି ରାସ୍ତା ଦେଇ ହାଟଡିହି ଓ ବନ୍ତ ଅଞ୍ଚଳରୁ କଟକ, ଭୂବନେଶ୍ୱର, ଧାନମଣ୍ଡଳ, ଯାଜପୁର ଟାଉନ୍‌, ଯାତାୟତ ନିମନ୍ତେ ପ୍ରାୟ ୧୫ କି.ମି ସଡ଼କପଥ କମ୍ ହେଉଛି । ବିଶେଷତଃ ବନ୍ତ ଅଞ୍ଚଳର କେନ୍ଦୁଆପଦା ଫାଣ୍ଡି, ବ୍ୟାଙ୍କ, ସ୍କୁଲ, କଲେଜ, ଆର୍‌ଆଇ ଅଫିସ୍‌, ସେବା ସମବାୟ ସମିତି ଆଦିରେ କାର୍ଯ୍ୟ କରୁଥିବା ଯୋଗୁଁ ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଯିବାଆସିବାରେ ଆବଶ୍ୟକତା ପଡିଥାଏ । ତେବେ ବର୍ତ୍ତମାନ ଟ୍ରେନ୍ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ବହୁ ସମୟରେ ଘଣ୍ଟା ଘଣ୍ଟା ଧରି ରେଳ ଫାଟକଟି ପଡିରହିଥାଏ । ଏହାଦ୍ୱାରା ରେଳଲାଇନ ପାର ହେବା ନିମନ୍ତେ ଫାଟକର ଉଭୟ ପାଶ୍ୱର୍ରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମାନଙ୍କୁ ଛିଡା ହେବାକୁ ପଡିଥାଏ । ଏଠାରେ ଏକ ଓଭରବ୍ରିଜିର ଆବଶ୍ୟକତାକୁ ଅନୁଭବ କରି ଦୀର୍ଘ ଦିନ ଧରି କେନ୍ଦୁଆପଦା ନାଗରିକ ସୁରକ୍ଷା ମଞ୍ଚ ଓ ବିଜେପି ପକ୍ଷରୁ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ଏ ସଂପର୍କରେ ମଧ୍ୟ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ଗତ ୨୦୧୯ ମସିହା ଜୁଲାଇ ୧୮ତାରିଖରେ ରେଳବାଇ ଯାତ୍ରୀ ସୁରକ୍ଷା ସମିତିର ସଭ୍ୟ ପଞ୍ଚାନନ ରାଉତ(ଓଡିଶା), ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଓ ପୂର୍ବତନ ଭଦ୍ରକ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳଙ୍କ ଉଦ୍ୟମ କ୍ରମେ ସମିତିର ଚେୟାରମ୍ୟାନ୍ ରମେଶ ଚନ୍ଦ୍ର ରତ୍ନାଙ୍କ ସହ ଏକ ପ୍ରତିନିଧି ମଣ୍ଡଳି କେନ୍ଦୁଆପଦା ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ସେହି ସମୟରେ ଏ ଅଞ୍ଚଳର ବୁଦ୍ଧିଜୀବି, କେନ୍ଦୁଆପଦା ବଜାର କମିଟିର ସଭ୍ୟମାନଙ୍କ ସହ ସାକ୍ଷାତ କରି ସ୍ଥାନୀୟ ଲୋକମାନଙ୍କ ଠାରୁ ଷ୍ଟେସନର ଅସୁବିଧା ସମ୍ପର୍କରେ ଜାଣିବା ପରେ ଚେୟାରମ୍ୟାନ୍ ରମେଶ ଚନ୍ଦ୍ର ରତ୍ନା ଏକ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ଉକ୍ତ ପ୍ରତିଶୃତି ଅନୁଯାୟୀ ୧୬ମାସ ମଧ୍ୟରେ କେନ୍ଦୁଆପଦା ରେଳ ଷ୍ଟେସନ ନିକଟରେ ସ୍ଥାୟୀ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ରେଳମନ୍ତ୍ରଣାଳୟର ଅନୁମୋଦନ ଲାଭ କରିବା ସହ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ଏହା ଜଣାପଡ଼ିବା ପରେ କେନ୍ଦୁଆପଦା ସହ ବନ୍ତ, ଭଣ୍ଡାରିପୋଖରୀ, ଧାମନଗର ଓ ହାଟଡିହି ବ୍ଲକ୍‌ର ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି । ସଂପୃକ୍ତ ଅଞ୍ଚଳର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ପିୟୁଷ ଗୋଏଲ, ଯାତ୍ରୀ ସୁରକ୍ଷା ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ରତ୍ନାଙ୍କ ସହ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।