Odiapua.com

ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଚିହ୍ନଟ, ପୁରୀ ଓ ଭୁବନେଶ୍ୱର କୃଷି ମିଟିଂ ଯାଇଥିବା ନିଖୋଜ ପିତାଙ୍କ ମୃତଦେହକୁ ଶ୍ମଶାନରୁ ଖୋଳାଯାଇ ପୁତ୍ରକୁ ହସ୍ତାନ୍ତର

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨ ତାରିଖ ଦିନ ସକାଳେ ଭଣ୍ଡାରିପୋଖରୀ ଥାନା ପୁଲିସ୍ ୧୬ ଂ ଜାତୀୟ ରାଜପଥର ନେରଡା ମହନ୍ତସେତୁ ଅନତି ଦୂରରେ ଥିବା ଧାନବିଲ ନିମ୍ବଗଛ ଡାଳରେ ଝୁଲୁଥିବା ଅଜଣା ଯୁବକର ମୃତଦେହ ଏବେ ଚିହ୍ନଟ ହୋଇଛି । ଏଠାରେ ସୂଚନାଯୋଗ୍ୟ ସ୍ଥାନୀୟ ଲୋକେ ସକାଳେ ଶୌଚପାଇଁ ଯାଇ ଶୀତବସ୍ତ୍ରରେ ବନ୍ଧାହୋଇଥିବା ଯୁବକ ଜଣକର ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଯୁବକର ଗୋଡ ଭୂମିଠାରୁ ମାତ୍ର ଦୁଇ ଇଞ୍ଚ ଉଚ୍ଚତାରେ ରହିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ୧/୨୧ନଂ ଅପମୃତ୍ୟୁ ମାମଲା ଋଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା । ତେବେ ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଥିବା ବେଳେ କିଛି ଦୂର ବଣ ନିକଟରେ ବିଷବୋତଲ, ଜୋତା, ଆଦି ସାମଗ୍ରୀ ପଡିଥିବା ଦେଖିବାକୁ ମିଳିଥିଲା । ସେତେବେଳେ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ୨୫ ହେବ ବୋଲି ଅନୁମାନ କରାଯାଉଥିଲା । ପାରିପାର୍ଶିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଥିବାବେଳେ ପୁଲିସ୍ ଶବ ଚିହ୍ନଟ ନହେବାରୁ ପୌରପାଳିକା ମାଧ୍ୟମରେ ଭଦ୍ରକ ସହରର ଦକ୍ଷିଣେଶ୍ୱର କାଳୀ ମନ୍ଦିର ନିକଟ ମଠସାହି ଶ୍ମଶାନରେ ପୋତି ଦେଇଥିଲା । ମାତ୍ର ଏହି ସମ୍ବାଦଟି ଫଟୋ ସହ ବିଭିନ୍ନ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶ ହେବା ପରେ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ କୁଶୁନନଗର ଗ୍ରାମନିବାସୀ ପ୍ରଦୀପ୍ତ କୁମାର ବେହେରା ଉକ୍ତ ଶବ ତାଙ୍କ ପିତାଙ୍କର ବୋଲି ଜାଣିବାକୁ ପାଇଥିଲେ ।

ଏବଂ ତାଙ୍କ ପିତା ଗତ ୩୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କୃଷି ମିଟିଂ କୁ ଯାଉଛି ବୋଲି କହି ସକାଳ ୧୧ଟାରୁ କାଦବରାଙ୍ଗରୁ ବାହାରିଯାଇଥିବା ବିଷୟ ଭଣ୍ଡାରିପୋଖରୀ ଥାନାରେ ଆଜି ଦେଇଥିବା ଏତଲାରୁ ଜଣାପଡିଛି । ସେ ଉକ୍ତ ଏତଲାରେ ଲେଖିଥିବା ତଥ୍ୟ ମୂଳେ ତାଙ୍କ ପିତା ଚକ୍ରଧର (୫୫) ଯାଇଥିବା ୩୧ ତାରିଖ ରାତି ୯ ଟାରେ ଫୋନ୍ ମାଧ୍ୟମରେ ପୁରୀରେ ଥିବାର ଜଣାଇ ସୋମବାର ଦିନ ଭୁବନେଶ୍ୱର ଯାଇ କୃଷକ ମିଟିଂ ସାରି ଘରକୁ ଫେରିବାର ଅବଗତ କରାଇଥିଲେ । ମାତ୍ର ୪ ତାରିଖ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ସେ ବାଧ୍ୟହୋଇ ଆଗରପଡା ଥାନାରେ ତାଙ୍କ ପିତାଙ୍କ ସଂପର୍କରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ ମଧ୍ୟ ଥାନାଧିକାରୀ କୌଣସି ପଦକ୍ଷେପ ନେଇନଥିଲେ । ଇତିମଧ୍ୟରେ ୭ ତାରିଖ ଦିନ ଗଣମାଧ୍ୟମରେ ଭଣ୍ଡାରିପୋଖରୀ ଥାନା ଅଧୀନରେ ତାଙ୍କ ପିତାଙ୍କର ମୃତଦେହ ଉଦ୍ଧାର ହୋଇଥିବାର ଜାଣିବାକୁ ପାଇଥିଲେ । ଏବଂ ତାହା ଭଦ୍ରକରେ ବ୍ୟବଚ୍ଛେଦ କରାଯାଇ ୫ ତାରିଖ ଦିନ ମଠସାହି ମଶାଣିରେ ପୋତାଯାଇଥିବାର ଜାଣିଥିଲେ । ଏଣୁ ସେ ତାଙ୍କ ପିତାଙ୍କ ଶବକୁ ହିନ୍ଦୁ ଧର୍ମ ମୂଳେ ସଂସ୍କାର ପାଇଁ ତାଙ୍କୁ ହସ୍ତାନ୍ତର କରିବାକୁ ଲିଖିତ ନିବେଦନ କରିଥିଲେ । ଏହି ଘଟଣାପରେ ଭଣ୍ଡାରିପୋଖରୀ ଥାନା ପୁଲିସ୍ ତାଙ୍କ ପୁତ୍ର ଓ ପରିବାରଙ୍କୁ ଡକାଇ ଅପରାହ୍ନ ପ୍ରାୟ ୫ଟା ସମୟରେ ମାଜିଷ୍ଟ୍ରେଟ୍ ଭାବେ ଭଦ୍ରକ ଅତିରିକ୍ତ ତହସିଲଦାର ଦୀପ୍ତିରଂଜନ ଜେନାଙ୍କ ଉପସ୍ଥିତିରେ ମଠସାହି ସ୍ଥିତ ଶ୍ମଶାନରୁ ଡ୍ରୋଜର ଯୋଗେ ପୌର କର୍ମଚାରୀଙ୍କ ସହାୟତାରେ ଶବଟିକୁ ଉଦ୍ଧାର କରି ତାହା ଚିହ୍ନଟ ହେବା ପରେ ହସ୍ତାନ୍ତର କରିଛି । ମାତ୍ର ଏହି ଘଟଣାରେ ତାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି ।