Odiapua.com

ଅଜଣା ଟ୍ରକ ଧକ୍କାରେ ବାପ-ଝିଅ ମୃତ

ସମ୍ବଲପୁର, ୭/୫ – (ଓଡ଼ିଆ ପୁଅ) ସମ୍ବଲପୁର ସହର ଉପକଣ୍ଠସ୍ଥ ସମ୍ବଲପୁର-କଟକ ଜାତୀୟ ରାଜପଥର ଯୁଯୁମୁରା ଥାନା ନିକଟ ଏକ ଢ଼ାବା ସମ୍ମୁଖରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଏବଂ ତାଙ୍କ କନ୍ୟାଙ୍କ ପ୍ରାଣହାନୀ ଘଟିଛି। ଏମାନେ ହେଲେ ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ଗ୍ରାମର ବିଜୟ ପ୍ରଧାନ (୬୦) ଓ ତାଙ୍କ ଝିଅ ରୀତା ପ୍ରଧାନ (୨୬)। ଏମାନେ ଏକ ବାଇକ ଯୋଗେ ସହର ପଟରୁ ଗାଁକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ଦୁଇ ମୃତ ଶରୀରକୁ ଉଦ୍ଧାର କରିଥିଲେ। ବୁର୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ହେଲେ ଦୁର୍ଘଟଣାରେ ସଂପୃକ୍ତ ଟ୍ରକ୍ ସହିତ ଡ୍ରାଇଭର ଘଟଣାସ୍ଥଳରୁ ପଳାୟନ କରିଥିବା ପ୍ରକାଶ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।