Odiapua.com

ଅଚଳ ଉଠାଜଳସେଚନ ପ୍ରକଳ୍ପ ମରାମତି ଦାବିରେ ଦନେଇପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ହାଟଡ଼ିହି,୧୯ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦନେଇପୁର ଠାରେ ଥିବା ଉଠାଜଳସେଚନ ପ୍ରକଳ୍ପଟି ମରାମତି ହେଉ ନଥିବାରୁ ଚାଷୀମାନେ ଅନସନ କରିବାକୁ ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ଗ୍ରାମଟି ସାଳନ୍ଦୀ ନଦୀ କୁଳରେ ଥିଲେ ମଧ୍ୟ ଜଳସେଚନର କୌଣସି ସୁବିଧା ନାହିଁ । ଗ୍ରାମଟି ମରୁଡି ପ୍ରବଣ ଅଞ୍ଚଳ ହୋଇଥିବାରୁ ଚାଷୀମାନେ ଏକମାତ୍ର ଉଠାଜଳସେଚନ ପ୍ରକଳ୍ପଟି ଉପରେ ନିର୍ଭର କରିଥାନ୍ତି । ୧୯୭୪ ମସିହାରୁ ଏହି ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସାଳନ୍ଦୀ ନଦୀରୁ ପାଣି ଉଠାଯାଇ ଚାଷୀଙ୍କ ଜମିକୁ ଯୋଗାଇବା ଦ୍ୱାରା ଗାଁ ଲୋକମାନେ ଖରିଫ ଓ ରବିଚାଷ କରିଆସୁଥିଲେ । କିନ୍ତୁ ଆଜକୁ ୬/୭ବର୍ଷ ହେଲା ଏହା ଅଚଳ ହୋଇ ପଡିଛି । ନଦୀରୁ ମୁଖ୍ୟ ଟାଙ୍କି ପର୍ଯ୍ୟନ୍ତ ପାଇପଲାଇନ ଟି ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବାବେଳେ ମୁଖ୍ୟ ଟାଙ୍କିଠାରୁ ବିଲ ପର୍ଯ୍ୟନ୍ତ ପାଇପ ଲାଇନ୍‌ଟି ଆଶିଂକ ଭାଙ୍ଗିଯିବାରୁ ଏହା ଅଚଳ ହୋଇଯାଇଥିଲା । ବାରମ୍ବାର ଦାବିପରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ସହକାରୀଯନ୍ତ୍ରୀ ଉକ୍ତ ପ୍ରକଳ୍ପକୁ ନିଜେସରଜମିନି ତଦନ୍ତ କରି ଚାଷୀଙ୍କ ସହିତ ଆଲୋଚନା କରିବାପରେ ଠିକାଦାରଙ୍କ ଦ୍ୱାରା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଠିକାଦାର ଅଳ୍ପ କିଛି କାମ କରିଥିବାବେଳେ ଆଉ କାମ ଅଧାପନ୍ତରିଆ ଭାବେ ଛାଡି ପଳାଇଥିଲା । ଫଳରେ ପ୍ରକଳ୍ପଟି ଅଚଳ ହୋଇ ସେହିପରି ପଡିରହିଛି । ଚଳିତବର୍ଷ ବର୍ଷା ନଥିବାରୁ ଚାଷୀମାନେ ଆଜି ପର୍ଯ୍ୟନ୍ତ ଚାଷବାସ ଆରମ୍ଭ କରିପାରି ନାହାନ୍ତି । ବାରମ୍ବାର ଏନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ତେଣୁ ମହାଦେବ ପାଣିପଞ୍ଚାୟତର ଚାଷୀମାନେ ଏନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯଦି ୭ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଯାଏ ତେବେ ଚାଷୀମାନେ ଆନନ୍ଦପୁର ଉଠାଜଳସେଚନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପାଣି ପଞ୍ଚାୟତର ସଭାପତି ମାଧବ ଚନ୍ଦ୍ର ପାଣିଗ୍ରାହୀ, କାର୍ତ୍ତିକ ପାଣିଗ୍ରାହୀ, ସାବିତ୍ରୀ ପାଣିଗ୍ରାହୀ, ଭାଗିରଥି ମିଶ୍ର, ଭଜହରି ମିଶ୍ର, ଅମୁଲ୍ୟ କୁମାର ମିଶ୍ର, ନିରାକାର ପଣ୍ଡା, ମାନସ ରଞ୍ଜନ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପଣ୍ଡା, ଗଣେଶ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ମିଶ୍ର, ମନୋରଞ୍ଜନ ମିଶ୍ର, ସନାତନ ସେଠୀ, ନାରାୟଣ ପୃଷ୍ଟି, ପାର୍ବତୀ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି ।