Odiapua.com

ଅଙ୍ଗନୱାଡ଼ି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ ଡାକରାରେ ସାରା ରାଜ୍ୟରେ ଅଙ୍ଗନୱାଡ଼ି କର୍ମଚାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଚାଲିଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ଅଙ୍ଗନୱାଡ଼ି କର୍ମଚାରୀମାନେ ମଙ୍ଗଳବାର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ଦାବି ପୂଣ ନହୋଇଛି ସେତେପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ତିହିଡ଼ି ବ୍ଲକ ଅଙ୍ଗନୱାଡ଼ି କର୍ମଚାରୀ ସଂଘର ସଭାନେତ୍ରୀ ନମିତା ବସନ୍ତରାୟ ଓ ସମ୍ପାଦିକା ସୁଜାତା ଜେନା ଜଣାଇଛନ୍ତି। ସରକାର ସେମାନଙ୍କର ଦାବି ପୂରଣରେ ଅବହେଳା କରୁଥିବାରୁ ଏହି ଆନ୍ଦୋଳନ ଚାଲିଛି। ତେବେ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯିବା, ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ମାସିକ ୧୮ ହଜାର ଓ ସହାୟିକା ମାନଙ୍କୁ ୧୦ହଜାର ବେତନ ପ୍ରଦାନ କରିବା, ମିନି ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମଚାରୀ ଭାବେ ଘୋଷଣା କରାଯିବା, କର୍ମଚାରୀମାନଙ୍କର ଇପିଏଫ, ଇଏସ୍‌ଆଇସି ଓ ଗ୍ରାଚୁଇଟି ଲାଗୁ କରାଯିବା, ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସସୀମା ନରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ କରିବା, ସହାୟିକାମାନଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ଅଙ୍ଗନୱାଡ଼ି କର୍ମଚାରୀକୁ ପଦୋନ୍ନତି ଦେବା ଓ ୫୦ ପ୍ରତିଶତ ବାହାରୁ ଡାଇରେକ୍ଟ ନେଉଥିବା ପଦବୀରେ ଗ୍ରାଜୁଏଟ ବା ତତୋଧିକ ଯୋଗ୍ୟତା ଥିବା ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ଦେବା ଦାବି କରାଯାଇଛି। ଏହି ଧାରଣାରେ ସରୋଜିନୀ ସେଠୀ, ରୁବିଲତା ଦାସ, ସୀମାଦ୍ରୀ ମଲ୍ଲିକ, ବିଜୟା ପତି, ମମତା ସାହୁ, ସ୍ନେହଲତା ବାରିକ, ବିଜୟଲକ୍ଷ୍ମୀ ସେନାପତି, ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋତିର୍ମୟୀ ଦାସ, ମୋନାଲିଶା ରାୟ, କୃଷ୍ଣପ୍ରିୟା ଜେନା, କାଦମ୍ବିନୀ ନାୟକ, ଅନୁସୟା ସ୍ୱାଇଁ, ବାସନ୍ତୀ ଧୁପାଳ, ଅନ୍ନପୂର୍ଣ୍ଣା ସାମଲ, ମନୋରମା ମହାନ୍ତି, ମଧୁସ୍ମିତା ସାହୁ, ପଙ୍କଜିନୀ ସାହୁ, ସବିତା ପାଣି, କବିତା ରାଉତ, ସୁବାଶିଷ ମଲ୍ଲିକ, ବୀଣାପାଣୀ ମାଝି ପ୍ରମୁଖଙ୍କ ସହିତ ଶତାଧିକ ଅଙ୍ଗନୱାର୍ଡ଼ି କର୍ମଚାରୀ ସାମିଲ ଥିଲେ।