Odiapua.com

ଅଙ୍ଗନୱାଡ଼ି ଅନୁପୂରକ ପୋଷଣକୁ ଦରବୃଦ୍ଧି ମାଡ଼ – ବଜାର ଦର ଅନୁସାରେ ସାମଗ୍ରୀ ମୂଲ୍ୟ ପ୍ରଦାନ ପାଇଁ କର୍ମୀଙ୍କ ଦାବି

ବାଲେଶ୍ୱର, ୧-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଆଇ-ସି-ଡି-ଏସ୍‌- ବିଭାଗ ଜରିଆରେ ଅଙ୍ଗନୱାଡ଼ିକର୍ମୀମାନଙ୍କ ଦ୍ୱାରା ମା’ ଓ ଶିଶୁମାନଙ୍କ ପାଇଁ ଦେଉଥିବା ଖାଦ୍ୟପଦାର୍ଥର ବର୍ତ୍ତମାନ ସରକାରୀ ଧାର୍ଯ୍ୟମୂଲ୍ୟରେ ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ବାଲେଶ୍ୱର ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀଙ୍କ ଉଦ୍ଦେଶ୍ୟରେ ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରି ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ମାଆ ଓ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟସାମଗ୍ରୀର ବର୍ଦ୍ଧିତ ଦର ପ୍ରଦାନପାଇଁ ଦାବି କରାଯାଇଛି। ବର୍ତ୍ତମାନ ବଜାରରେ ଅଣ୍ଡାପ୍ରତି ସାତଟଙ୍କା ମୂଲ୍ୟ ଥିବାବେଳେ ଏଥିପାଇଁ ସରକାର ମାତ୍ର ୫ଟଙ୍କା ୫୦ ପଇସା ପ୍ରଦାନ କରୁଛନ୍ତି। ସେହିପରି ଆଳୁ, ପିଆଜ, ତେଲ ଓ ଡାଲି ପ୍ରଭୃତି ସାମଗ୍ରୀର ଅହେତୁକ ଦରବୃଦ୍ଧି ହୋଇଛି। ତେଣୁ ଅଙ୍ଗନୱାଡ଼ି କର୍ମୀମାନେ ସ୍ୱଳ୍ପ ଅର୍ଥରେ ପୂର୍ବଭଳି ସମ ପରିମାଣର ଖାଦ୍ୟ ସାମଗ୍ରୀ ଓ ଅଣ୍ଡା ବଣ୍ଟନ ପାଇଁ ସେମାନଙ୍କର ଅକ୍ଷମତା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଯଦି ରାଜ୍ୟ ସରକାର ତୁରନ୍ତ ସଂଶୋଧିତ ମୂଲ୍ୟ ତାଲିକା ପ୍ରକାଶ କରି ଅଧିକ ଅର୍ଥ ଏ ବାବଦକୁ ପ୍ରଦାନ ନକରନ୍ତି ତେବେ ସରକାରୀ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବନାହିଁ ବୋଲି ସଂଘ ତରଫରୁ କୁହାଯାଇଛି। ଏହି ଦାବିପତ୍ରର ନକଲ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ର ପ୍ରଦାନବେଳେ ସଂଘର ସଂପାଦିକା ଗୌରୀଦାସଙ୍କ ସମେତ ସୁକାନ୍ତି ବିଶ୍ୱାଳ, ଅନୁସୂୟା ଦଳାଇ, ସୁକାନ୍ତି ପ୍ରଧାନ, ସନ୍ତୋଷିନୀ ମଲ୍ଲିକ, ଶର୍ମିଷ୍ଠା ପଣ୍ଡା, ତପସ୍ୱିନୀ ବିଶ୍ୱାଳ, ପ୍ରଭାତୀ ଦାସ, ଦୀପାରାଣୀ ବାରିକ, ଜୟଶ୍ରୀ ରାଉତ, ସନ୍ଧ୍ୟାରାଣୀ ବେହେରା, ପୂର୍ଣ୍ଣିମା ସି, ରାଧାରାଣୀ ପଣ୍ଡା, ଆରତୀ ଦାସମହାପାତ୍ର ଓ ସ୍ମରଣିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ।