Odiapua.com

ଅଙ୍ଗନୱାଡି ଖାଦ୍ୟ ଯୋଗାଣରେ ଦୁର୍ନୀତି, ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବଂଟନରେ ବ୍ୟାପକ କେଳେଙ୍କାରୀ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‌ରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଶିଶୁମାନଙ୍କୁ ବଂଟନ କରାଯାଉଥିବା ଖାଦ୍ୟ ପରିମାଣରେ ଓଜନ କମ୍ ପରିଲକ୍ଷିତ ହୋଇଛି । ବଂଟନ ଦାୟିତ୍ୱରେ ଥିବା ମଧୁବାବୁ ସ୍ୱୟଂସହାୟିକା ଗୋଷ୍ଠୀ ପ୍ୟାକେଟ୍ ଉପରେ ପରିମାଣର ତଥ୍ୟ ଉଲ୍ଲେଖ କରୁନଥିବାର ଅଭିଯୋଗ ହୋଇଛି । ଏଥିସହ ଏମ୍‌ଏସ୍‌ପିୱାଇ ଯୋଜନା ଅର୍ଥାତ୍ ଗର୍ଭବତୀ ମହିଳା ଓ କିଶୋରୀ ବାଳିକାଙ୍କୁ ବଂଟନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ବଂଟନରେ ଦୁର୍ନୀତି ହୋଇଥିବା ବିଷୟ ସାଧାରଣରେ ଚର୍ଚ୍ଚା ହୋଇଛି । ସରକାରଙ୍କ ସଂପୂର୍ଣ୍ଣ ପୁଷ୍ଟି (ଏମ୍‌ଏସ୍‌ପିୱାଇ) ରେ ପ୍ରତି ମାସରେ ଖଜୁରୀକୋଳି, ଲଡୁ, ମୁଢି ଓ ଭଜାବୁଟ ପ୍ରଦାନ କରାଯାଉଛି । ନିୟମ ଅନୁସାରେ ବଂଟନ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପ୍ରତି ମାସ ଶେଷ ସପ୍ତାହରେ ଅଙ୍ଗନୱାଡି କେନ୍ଦ୍ରରେ ପହଂଚାଇବା ପରେ ପ୍ରତିମାସ ଏକ ତାରିଖରେ କର୍ମୀମାନେ ହିତାଧିକାରୀଙ୍କୁ ପ୍ରଦାନ କରିବାର ନିୟମ ରହିଛି । କିନ୍ତୁ ସରକାରୀ ନିୟମକୁ ଫୁ କରି ୨୦୨୪ ଜୁଲାଇ ମାସର ଖାଦ୍ୟ ଜୁନ୍ ଶେଷ ସୁଦ୍ଧା ଅଙ୍ଗନୱାଡି କେନ୍ଦ୍ରରେ ନପହଂଚାଇ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଥିବାର ଅଭିଯୋଗ ହୋଇଛି । ଏଥିସହ ପ୍ରଦାନ କରାଯାଉଥିବା ବୁଟ ପ୍ୟାକେଟ୍ ଉପରେ ଉକ୍ତ ସଂସ୍ଥାର ନାଁ, ତାରିଖ ଓ ଓଜନର ପରିମାଣ ଲେଖାନାହିଁ । କେତେକ ପେକେଟରେ ବୁଟ ୧ କେଜି ୩୫୦ ଗ୍ରାମ ଲେଖାଥିବାବେଳେ ୧ କେଜି ୮୦ ଗ୍ରାମ, ସୁଜି ୧ କେଜି ୫୦୦ ଗ୍ରାମ ଥିବାବେଳେ ୧ କେଜି ୨୦୦ ଗ୍ରାମ ରହିଛି । ମୁଢି ୧ କେଜି ହେବା ଜାଗାରେ ୭୦୦ ଗ୍ରାମ ରହିଛି । ଏସବୁ ଯାଂଚ କରିବାକୁ ପ୍ରତି ଅଙ୍ଗନୱାଡି ପାଇଁ ସୁପରଭାଇଜର ରହିଥିବାବେଳେ ସେମାନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଯୋଜନାକୁ ବାଟବଣା କରି ଅର୍ଥ ହଡପ କରିବାକୁ କେତେକ ଅସାଧୁ ଅଧିକାରୀ ଓ ମଧୁବାବୁ ସ୍ୱୟଂ ସହାୟକ ଗୋଷ୍ଠୀ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାର ଅଭିଯୋଗ ଆସିଛି । ଏ ବାବଦରେ ଚାନ୍ଦବାଲି ସିଡିପିଓଙ୍କ ସହ ଯୋଗାଯୋଗ କରିବାରେ ସେ ଉକ୍ତ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । କେବେ ତଦନ୍ତ ହୋଇ ଉକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି, ତାହା ଦେଖିବାକୁ ବାକି ରହିଲା ।