Odiapua.com

ଅଙ୍ଗନୱାଡ଼ିରୁ ମିଳିଥିବା ‘ବାଦାମ ଚିକି’ ଖାଇ ଗର୍ଭବତୀ ଅସୁସ୍ଥ, ସିଡିପିଓ କାର୍ଯ୍ୟାଳୟରେ ଧାରଣା

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅପୃଷ୍ଟିକର ‘ବାଦାମ ଚିକି’ ଖାଇ ଜଣେ ୭ମାସର ଗର୍ଭବତୀ ମହିଳା ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ମହିଳା ବର୍ଷା ଜେନାଙ୍କୁ ତୁରନ୍ତ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର ଚିକି ଧରି ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ୍ ସିଧାସଳଖ ବ୍ଲକ୍ ସିଡିପିଓଙ୍କ ଅଫିସରେ ଅଭିଯୋଗ କରିଥିଲେ । ମାତ୍ର ସିଡିପିଓ ଅଲାଡ଼ି ମାରାଣ୍ଡି ଏହା ଉପରେ କୌଣସି ସନ୍ତୋଷଜନକ ଉତର ନଦେବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ପ୍ରତିବାଦରେ ସମିତିସଭ୍ୟଙ୍କ ନେତୃତ୍ୱରେ ସିଡିପିଓଙ୍କ ଅଫିସ୍ ଆଗରେ ଧାରଣା ଆରମ୍ଭ ହୋଇଛି। ଖବର ପାଇ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ସରପଂଚ ପ୍ରମୋଦ ଜେନା, ସମିତିସଭ୍ୟ ନିର୍ମଳ ନାୟକ ଓ ଧରଣୀଧର କର ପ୍ରମୁଖ ଏନେଇ ସିଡ଼ିପିଓଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ବାସୁଦେବପୁର ଅଂଚଳର “ଇଶ୍ୱରୀ ଆଶା ମହିଳା” ଗ୍ରୁପ୍ ଏହି ଅତ୍ୟନ୍ତ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଉଛି। ଏହି ଦୁର୍ନୀତିଗ୍ରସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।